ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦୟପୁର ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମମଧ୍ୟରେ ଉଦୟପୁରେ ଦରଜୀଙ୍କ ମୁଣ୍ଡକାଟ ଘଟଣା ସମେତ ଦେଶରେ ଯାହା ଘଟୁଛି ସେଥିପାଇଁ ଏକା ନୂପୁର ଶର୍ମା ଦାୟୀ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିବା ପରେ ଡଚ୍‌ ସାଂସଦ ୱାଇଲ୍‌ଡର୍ସ କହିଛନ୍ତି, ଉଦୟପୁର ଘଟଣା ପାଇଁ ନୂପୁର ଶର୍ମା ନୁହନ୍ତି, ଧର୍ମାନ୍ଧ ଅସହିଷ୍ଣୁ ଜିହାଦୀ ସଂଖ୍ୟାଲଘୁମାନେ ଦାୟୀ ବୋଲି କହିଛନ୍ତି । ଟୁଇଟ୍‌ କରି ସେ ଲେଖିଛନ୍ତି, ମୋର ମନେହୁଏ ଭାରତରେ ଶାରିଆ ଅଦାଲତ ନ ଥିଲା। ମହମ୍ମଦ୍‌ଙ୍କ ବିଷୟରେ ସତ କହିଥିବାରୁ ସେ କ୍ଷମାଭିକ୍ଷା କରିବା ଅନୁଚିତ। ଉଦୟପୁର ପାଇଁ ସେ ଦାୟୀ ନୁହନ୍ତି। ଧର୍ମାନ୍ଧ ଅସହିଷ୍ଣୁ ଜିହାଦୀ ସଂଖ୍ୟାଲଘୁଙ୍କ ବ୍ୟତୀତ ଆଉ କେହି ଦାୟୀ ନୁହନ୍ତି।ତାଙ୍କ ମନ୍ତବ୍ୟ ବିରୋଧରେ କେତେକ ରାଜ୍ୟରେ ପଞ୍ଜିକରଣ ହୋଇଥିବା ‘ଏଫ୍‌ଆଇଆର୍‌’ଗୁଡ଼ିକର ଏକତ୍ରୀକରଣ ନିମନ୍ତେ ନୂପୁର ଶର୍ମାଙ୍କ ଆବେଦନକୁ ଗ୍ରହଣ କରିବା ଲାଗି ସୁପ୍ରିମ୍‌ କୋର୍ଟ ମନା କରି କହିଥିଲେ ଯେ, ଶସ୍ତା ପ୍ରଚାର, ରାଜନୈତିକ ଆଜେଣ୍ଡା ଅଥବା କିଛି ଘୃଣ୍ୟ କାର୍ଯ୍ୟକଳାପ ନିମ‌ନ୍ତେ ସେ ଏଭଳି ମନ୍ତବ୍ୟ ଦେଇଥିଲେ।

ସୁପ୍ରିମ୍‌ କୋର୍ଟ କହିଥିଲେ, ବାସ୍ତବିକ, ନୂପୁର ନିର୍ବିଚାର ଭାବେ କଥା କହିପକାଉ ଥିବାରୁ ଟେଲିଭିଜନ୍‌ରେ ସମସ୍ତ ପ୍ରକାର ବେପରୁଆ ମନ୍ତବ୍ୟ ଦେଇ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ତଥାପି ସେ କହୁଛନ୍ତି ଯେ, ୧୦ ବ‌ର୍ଷ ହେବ ସେ ଓକିଲାତି କରିଆସୁଛନ୍ତି। ଆପଣା ମନ୍ତବ୍ୟ ପାଇଁ ସେ ତୁରନ୍ତ ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରିବା ଉଚିତ। ଏଫ୍‌ଆଇଆର୍‌’ ଏକତ୍ରିକରଣ କରିବାକୁ ଅଗ୍ରାହ୍ୟ କରି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପର୍ଦିୱାଲାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ନୂପୁରଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରି ନେବାକୁ ଅନୁମତି ଦେଇଥିଲେ। ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।