ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ତାଙ୍କର ନ୍ୟାୟିକ ହେପାଜତ ଅବଧିକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଏହାପୂର୍ବରୁ ସୋମବାର ରାଉତଙ୍କୁ ସ୍ବତନ୍ତ୍ର ବିଚାରପତି ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ହାଜର କରାଯାଇଥିଲା।ତାଙ୍କର ନ୍ୟାୟିକ ହେପାଜତକୁ ମଙ୍ଗଳବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା ଏବଂ ନ୍ୟାୟିକ ହେପାଜତ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା।
ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୋମବାର ସ୍ବତନ୍ତ୍ର ଅଦାଲତଙ୍କୁ କୁହାଯାଇଥିଲା ଯେ, ସଞ୍ଜୟଙ୍କର ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସକ୍ରିୟ ଭୂମିକା ରହିବା ସହିତ ମନି ଲଣ୍ଡରିଂ ମାମଲାରେ ତାଙ୍କର ସମ୍ପୃକ୍ତି ରହିଛି। ଏନେଇ ସଞ୍ଜୟଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କୋର୍ଟଙ୍କୁ ଇଡି କହିଥିଲା।
