ଏମକେସିଜି ମେଡିକାଲରେ ଅପରେସନ ଦଲାଲ; ଏସପିଙ୍କ ନେତୃତ୍ୱରେ ୭ ଦଲାଲଙ୍କୁ ବାନ୍ଧିଲା ବ୍ରହ୍ମପୁର ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଜଣ ଦଲାଲଙ୍କୁ ବ୍ରହ୍ମପୁର ପୁଲିସ ଆଜି ଗରିଫ କରିଛି। ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି। ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଜନା କରିଥିଲେ। କୌଣସି ଥାନାକୁ ସୂଚନା ନଦେଇ ନିଜେ ଏସପି ଏହି ଅପରେସନର ନେତୃତ୍ୱ ନେଇଥିଲେ।

ଆଜି ସକାଳୁ ୧୫ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ ଏସପି। ସମସ୍ତେ ସାଧାରଣ ଲୋକଙ୍କ ବେଶରେ ଥିଲେ। କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ। ସେମାନେ ବିଭିନ୍ନ ୱାର୍ଡକୁ ଯିବା ପରେ ଦଲାଲ ମାନେ ତାଙ୍କ ପାଖକୁ ଆସିଥିଲେ।

ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରଟ ଯିବାର ଅଛି ଜଲଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ। କହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ଜଣେ ଦଲାଲଙ୍କୁ କାବୁ କରିଥିଲା। ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ। ଏସପି ଡା ସର୍ବଣା ବିବେକ ଏମ , ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁଆଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଏମାନଙ୍କ ଲିଙ୍କରେ ଯେଉଁ ମାନେ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି।

Related Posts