ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ କଂଗ୍ରେସ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି। ତେବେ ଉଭୟ ସୁର ଓ ମୋକିମ ଗତ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ।
ଅନ୍ୟପଟେ ଜଟଣୀ ବିଧାୟକ ସୁରେଶ ରାଉତରାୟ ନୋଟିସ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ ନୋଟିସର ଉଚିତ ଜବାବ ଦେବେ। ସେ କେବେ କଂଗ୍ରେସ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ସୁର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଥିଲେ, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ।
ସୁରେଶ କୁମାର ରାଉତରାୟ କହିଥିଲେ, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା। ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସକୁ ହରେଇବାକୁ ସେଠିକି ଯାଇଥିଲେ, ଜିତେଇବା ସେମାନଙ୍କର ଲକ୍ଷ୍ୟ ନଥିଲା। ଏ ନେଇ ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବି। ଆମେ ଏକ ଟିମ ଯାଇ ଏ ବିଷୟରେ ହାଇକମାଣ୍ଡଙ୍କୁ ଜଣାଇବୁ। ଉପରଠୁ ନେଇ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲରେ ବିକ୍ରି ହୋଇଛନ୍ତି। ଶରତ ପଟ୍ଟନାୟକ ନିରୀହ ଲୋକଟେ, ତେଣୁ ତାକୁ ସଖୀ କଣ୍ଢେଇ ପରି ନଚଉଛନ୍ତି।