
ପୁରୀ(ସତ୍ୟପାଠ ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ଅଭିଯୋଗରେ ସିବିଆଇ ନିକଟରେ ଶ୍ର ଜଗନ୍ନାଥ ସେନା ଏତଲା ଦେଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏତଲା ଦେଇ ସେନା କହିଛି ଯେ, ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବା କଥା । କିନ୍ତୁ ୧୯୭୮ ମସିହା ପରେ ୪୪ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନି । ରତ୍ନଭଣ୍ଡାର ଚାବି ଓ ଯାଞ୍ଚ ନେଇ ବିଧାନସଭାରେ ମନ୍ତ୍ରୀ, ତତ୍କାଳୀନ ଜିଲ୍ଲାପାଳ, ଟ୍ରେଜେରୀ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି । ଏମିତିକି ଆରଟିଆଇରେ ଟ୍ରେଜେରୀ ପାଖରେ କୌଣସି ଚାବି ନଥିବା ମଧ୍ୟ କୁହାଯାଇଛି । ସରକାର ଓଡ଼ିଆ ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି ବୋଲି କହିଛି ଶ୍ରୀ ଜଗନ୍ନାଥ ସେନା ।
ଅନ୍ୟପକ୍ଷରେ ୨୦୦୯ ମସିହା ଫେବ୍ରୁଆରି ୧୪ ତାରିଖ ରାତି ସାଢ଼େ ଗୋଟାଏ ବେଳେ ଶ୍ରୀମନ୍ଦିର ପ୍ରଶାସକ ଓ ପୁଲିସ ସମେତ ୧୦ ଜଣଙ୍କ ଉପସ୍ଥିତିରେ ଭୁବନେଶ୍ୱରକୁ ମରାମତି ଲାଗି ଯାଉଥିବା ବାହାନାରେ ରତ୍ନଭଣ୍ଡାର ଲୁଟ କରାଯାଇଥିବା ନେଇ ସ୍ୱଚକ୍ଷୁରେ ଦେଖିଛି ଓ ତଦନ୍ତ ହେଲେ ପ୍ରମାଣ ଦେବି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଲୁଟ ନେଇ ଶ୍ରୀ ଜଗନ୍ନାଥ ସେନା ସିବିଆଇ ନିକଟରେ ଏତଲା ଦେଇଛି । ଯଦି ସିବିଆଇ କିଛି ନକରେ ଆଗକୁ ସେନା ହାଇକୋର୍ଟ ଓ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ । ମରିବା ଯାଏ ସେନା ଏନେଇ ଲଢେ଼ଇ କରିବ।