ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; କାମ ବନ୍ଦ ପାଇଁ ଚିଠି ଲେଖିଲା ପ୍ରତ୍ନତତ୍ତ୍ବ ବିଭାଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥାକୁ ପୁଣିଥରେ ଝଟ୍କା ଲାଗିଛି। ନିର୍ମାଣ ହେବାକୁ ଥିବା ଶ୍ରୀମନ୍ଦିର କାର୍ୟ୍ୟାଳୟର ପ୍ରଶାସନିକ କୋଠା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଆସୁନଥିବାରୁ ଏହିପାଇଁ ସ୍ବତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏ ଚିଠି ଲେଖିଥିଲା। ଏହାସତ୍ତ୍ବେ ନିର୍ମାଣ କାର୍ୟ୍ୟ ଅଟକିନି। ମୂଳଦୁଆ ପଡ଼ିବା ପରେ ଏବେ ପିଲାର ନିର୍ମାଣ କାର୍ୟ୍ୟ ଜାରି ରହିଛି। ଏଭଳି ସ୍ଥିତିରେ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନକୁ ଏନ୍ଏମ୍ଏ ଚିଠି କରି ତାଗିଦ୍ କରିଛି। ଶ୍ରୀମନ୍ଦିର କାର୍ୟ୍ୟାଳୟର ତୁରନ୍ତ ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ କହିଛି। ସେପଟେ ଅନୁମତି ନ ମିଳି ନିର୍ମାଣ କାର୍ୟ୍ୟ ଜାରି ରହିଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ନିର୍ମାଣ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ସେପଟେ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପ୍ରଶାସନିକ କୋଠା ପାଇଁ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିୟନ୍ତ୍ରିତ ଅଞ୍ଚଳର ଉତ୍ତର-ପୂର୍ବଦ୍ବାର କୋଣରେ ୪୧୨.୯୦୦ ବର୍ଗମିଟର ଜାଗାରେ ୧୪.୧୫୦ ମିଟର ଉଚ୍ଚତା ବିଶିଷ୍ଟ ତିନି ମହଲାର ଏହି ପ୍ରଶାସନିକ କୋଠା ନିର୍ମାଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏନ୍ଏମ୍ଏ ଏଥିରେ ଆପତ୍ତି ଉଠାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ଗତ ସେପ୍ଟେମ୍ବରରୁ ଏନ୍ଏମ୍ଏର ଯେଉଁ ଏନ୍ଓସି ଦେଖାଇ ଆସୁଛନ୍ତି, ସେଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀମନ୍ଦିର କାର୍ୟ୍ୟାଳୟ ଭିନ୍ନ ଏକ ପ୍ରକଳ୍ପ। ଏହାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ନ ରଖି ଭିନ୍ନ ଭାବେ ଆବେଦନ କର।

Related Posts