
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ପରେ ବିଜେପି କରିବ ଚିନ୍ତନ ଶିବିର । ରବିବାର ଅହମଦାବାଦରେ ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯିବ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ଗୁଜରାଟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅନ୍ୟ ବଡ଼ ନେତା ଶିବିରରେ ସାମିଲ ହେବେ। ଗୁଜରାଟରେ ଲଗାତାର ଷଷ୍ଠ ଥର ପାଇଁ ସରକାର ଗଠନ ଲାଗି ଆବଶ୍ୟକୀୟ ନୀତି ପାଇଁ ଏହି ଚିନ୍ତନ ଶିବିର ଆୟୋଜନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ ହୋଇଥିବାରୁ ଗୁଜରାଟ ନିର୍ବାଚନ ବିଜେପି ପାଇଁ ସମ୍ମାନ ଲଢେଇ ହେବ। ସେପଟେ ଏହି ମହାବୈଠକରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ବିଜୟ ସମ୍ଭାବନାକୁ ଆଧାରେ ସେମାନଙ୍କୁ ଟିକେଟ ଦିଆଯିବା ଉପରେ ଚର୍ଚ୍ଚା ହେବ। ଲଗାତାର ୨୫ ବର୍ଷ ଧରି ଗୁଜରାଟରେ ବିଜେପିର ସରକାର ରହିଛି। ଏପରି ସ୍ଥିତିରେ ଦଳ ବିରୋଧୀ ହୱାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରାଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।