ବାବରଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଶୁଭମନ ଗିଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଦିନିକିଆ ର଼୍ୟାଙ୍କିଙ୍ଗ ଅନୁଯାୟୀ, ଗିଲ ବର୍ତ୍ତମାନ ଦିନିକିଆ ଫର୍ମାଟରେ ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ଦିନିକିଆ ଫର୍ମାଟରେ ନମ୍ବର-୧ର ମୁକୁଟ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ମୁଣ୍ଡରେ ଥିଲା।ତେବେ ବର୍ତ୍ତମାନ ଶୁଭମନ ବାବର ଆଜମଙ୍କୁ ଅତିକ୍ରମ କରି ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ଅଧିକାର କରିଛନ୍ତି।

ଗତ ଏକ ବର୍ଷ ଶୁଭମନ ଗିଲ ଭଲ ଫର୍ମରେ ଅଛନ୍ତି। ସେ ତିନୋଟି ଫର୍ମାଟ, ଦିନିକିଆ, ଟେଷ୍ଟ ଏବଂ ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦିନିକିଆ ର଼୍ୟାଙ୍କିଙ୍ଗ ଅନୁଯାୟୀ ଗିଲ ୮୩୦ ପଏଣ୍ଟ ପାଇଛନ୍ତି। ଏଥି ସହିତ ଦ୍ୱିତୀୟ ସ୍ଥାନରେ ଥିବା ବାବର ଆଜମଙ୍କର ୮୨୪ ପଏଣ୍ଟ ରହିଛି। ଏହି ତାଲିକାର ତୃତୀୟ ସ୍ଥାନରେ ୭୭୧ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଅଛନ୍ତି। ବିରାଟ କୋହଲି ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଆସିଛନ୍ତି। ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ବିରାଟ ୭୭୦ ପଏଣ୍ଟ ପାଇଛନ୍ତି।

ସେପଟେ ଭାରତର ମହମ୍ମଦ ସିରାଜ ପୁଣି ଥରେ ଦିନିକିଆ ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ପାକିସ୍ତାନର ଶାହିନ ଆଫ୍ରିଦିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ।

Related Posts