ଭୁବନେଶ୍ୱର,୧୫/୧୨(ସତ୍ୟପାଠ ବ୍ୟୁରୋ): ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ଆସନସୋଲର ବୁରଦ୍ୱାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଯିବା ପରେ ଏଭଳି ପରିସ୍ଥତି ଉପୁଜିଥିବା ପୁଲିସ କହିଛି। ତେବେ ଅତ୍ୟଧିକ ଭିଡ଼ ହେତୁ ତିନିଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆସାନସୋଲର ପୂର୍ବତନ ମେୟର ତଥା ବିଜେପି ନେତା ଜିତେନ୍ଦ୍ର ତେୱାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଘଟଣ ଘଟିବା ପରେ ଆହତମାନଙ୍କୁ ତୁରନ୍ତ ଆସାନସୋଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ଚିକିତ୍ସା ଚାଲିଛି।
ଆସାନସୋଲ ପୁଲିସର ସୂଚନା ଅନୁସାରେ, ବିଜେପି ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ନଥିଲା। ପୁଲିସର ଅନୁମତି ବିନା ଏକ ରାଲି ଆୟୋଜନ ପାଇଁ ଟିଏମସି ନେତା ମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଟିଏମସିର ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଶୁଭେନ୍ଦୁ ଅଧିକାରୀ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ନଥିଲେ। କମ୍ବଳ ବଣ୍ଟନ ନାମରେ ଅଧିକାରୀ ବହୁ ସଂଖ୍ୟକ ଲୋକଙ୍କୁ ଏକ ସ୍ଥାନକୁ ଡାକିଥିଲେ। ଏତେ ସଂଖ୍ୟକ ଜନସମାବେଶକୁ ପରିଚାଳନା କରିବାର କ୍ଷମତା ନଥିଲା। ସମନ୍ୱୟର ଅଭାବ ଥିଲା। ଶୁଭେନ୍ଦୁ ଅଧିକାରୀ ଗରିବ ଲୋକଙ୍କ ଜୀବନ ସହିତ ଖେଳିଛନ୍ତି। ସେ କ୍ଷମା ମାଗିବା ଉଚିତ୍ ବୋଲି ସେ କହିଛନ୍ତି।
