ଭୁବନେଶ୍ୱର,୧୫/୧୨(ସତ୍ୟପାଠ ବ୍ୟୁରୋ): ଜମିର କିସମର ପରିବର୍ତ୍ତନ ପାଇଁ ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ତଥା ଅନୁନିବନ୍ଧକ ପୃଥ୍ୱୀରାଜ ମଣ୍ଡଳ। ତହସିଲଦାର ଶ୍ରୀ ମଣ୍ଡଳ ନିଜ କଳିଙ୍ଗନଗର ସ୍ଥିତ ବାସଭବନ ଆଗରୁ ଜମି କିସମ ପରିବର୍ତ୍ତନ ପାଇଁ ରଙ୍ଗ ବୋଳା ୪୫ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ତେବେ ସେଠାରେ ପୂର୍ବରୁ ଜାଲ ବିଛାଇ ଛକି ରହିଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ପରେ କେମିକାଲରେ ତାଙ୍କ ହାତ ଧୂଆ ଯାଇ ସେ ଲାଂଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି । ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଛି । ପରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। ଏହାସହିତ କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ତଦନ୍ତ ଜାରି ରଖିଛି।
