ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏନଆଇଏ ପଞ୍ଜାବୀ ଗାୟିକା ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଅଫସାନା ଖାନଙ୍କୁ ସମନ ଜାରି କରିଛି। ଏହି ମାମଲାରେ ମଙ୍ଗଳବାର ଦିନ ଏନଆଇଏ ତାଙ୍କୁ ୫ ଘଣ୍ଟା ପଚରାଉଚରା କରିଛି। ରିପୋର୍ଟ ଅନୁଯାୟୀ, ମୁସେୱାଲାଙ୍କ ଘନିଷ୍ଠ ବନ୍ଧୁ ଅଫସାନା ଦିଲ୍ଲୀର ଏନଆଇଏ ମୁଖ୍ୟାଳୟରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି।ଅଫସାନାଙ୍କର ହତ୍ୟାକାଣ୍ଡରେ ଭୂମିକା ଥାଇପାରେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି।
ନିକଟରେ ଏନଆଇଏ ଦେଶର ବିଭିନ୍ନ ସ୍ଥାନରେ ସର୍ଚ୍ଚ କରିଥିଲା। ଏହି ମାମଲାରେ ଏନଆଇଏ ହରିୟାଣା, ପଞ୍ଜାବ ଏବଂ ଦିଲ୍ଲୀର ପୋଲିସ ବିଭାଗ ସହିତ ମିଶି ତଦନ୍ତ କରୁଛି। ଅଫସାନ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ମ୍ୟୁଜିକ୍ ଭିଡିଓର ଏକ ଅଂଶ ଥିଲେ। ତେବେ ହତ୍ୟାକାଣ୍ଡ ପୂର୍ବରୁ ତାଙ୍କୁ ଫୋନ୍ କଲରେ ଧମକ ଦିଆଯାଉଥିବା ନେଇ ମୁସେୱାଲା ଅଫସାନଙ୍କୁ କହିଥିଲେ । ଏହାକୁ ନେଇ ଏବେ ଏନଆଇଏ ଅଫସାନାଙ୍କୁ ଜେରା କରିଥିବା ସୂଚନା ମିଳିଛି । ଅଫସାନା ଖାନ ଏବେ ଏନଆଇଏର ସ୍କାନରରେ ଅଛନ୍ତି। ବମ୍ବିହା ଗ୍ୟାଙ୍ଗ ସହିତ ଅଫସାନାଙ୍କ ସଂପର୍କକୁ ନେଇ ଆଶଙ୍କା ରହିଛି। ସିଦ୍ଧୁ କିପରି ଓ କେଉଁ ପରିସ୍ଥିତିରେ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟକୁ ଆସିଲେ ସେନେଇ ଏନଆଇଏ ମଙ୍ଗଳବାର ତାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।
ଏଠାରେ ଉଲ୍ଲେଖନୀୟ କଥା ହେଉଛି, ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୋଗ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ରହିଛି। ବମ୍ବିହା ଗ୍ୟାଙ୍ଗ ଏବଂ ବିଷ୍ଣୋଇ ଗ୍ୟାଙ୍ଗ ପରସ୍ପରର ଶତ୍ରୁ। ବିଷ୍ଣୋଇ ଗ୍ୟାଙ୍ଗ ଭାବୁଥିଲା ଯେ ମୋସେୱାଲା ବାମ୍ବିହା ଗ୍ୟାଙ୍ଗର ନିକଟବର୍ତ୍ତୀ ଅଟନ୍ତି । ଏହା ସନ୍ଦେହ କରି ମୁସେୱାଲାଙ୍କ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
