ଜମ୍ମୁ କାଶ୍ମୀର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ବିଦେଶୀ ଆତଙ୍କୀ ସଫା

ଶ୍ରୀନଗର: ଉତ୍ତର ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଲଓସିରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଅପରେସନରେ ସଫଳ ହୋଇଛି । ସେନା ଗୁଳିରେ ଜଣେ ବିଦେଶୀ ଆତଙ୍କୀ ନିପାତ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଲଓସିର ସୁଦପୋରେ ସୁରକ୍ଷାକର୍ମୀର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଜମ୍ମୁ ପୋଲିସ ମଧ୍ୟ ସାମିଲ ହୋଇଥିଲେ । ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା ସେନା । ଦୀର୍ଘ ସମୟ ଧରି ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ବିଦେଶୀ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଆତଙ୍କୀଠୁ ଅସ୍ତ୍ରଶସ୍ତ୍ର ସହ ଦସ୍ତାବିଜ ଜବତ ହୋଇଛି । ମିଳିଥିବା ଦସ୍ତାବିଜରୁ କିଛି ବିଦେଶୀ ଲିଙ୍କ ମିଳିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ମୁଖ୍ୟ ସୂଚନା ଦେଇଛନ୍ତି ।

ଶେଷ ଥର ପାଇଁ ଅକ୍ଟୋବର 10 ତାରିଖରେ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ 2 ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବ ପୂର୍ବଦିନ ସୋପିଆନାରେ ଏନକାଉଣ୍ଟର ହୋଇଥିଲା ମାତ୍ର ସେନାକୁ ସଫଳତା ମିଳିନଥିଲା । ଚଳିତ ବର୍ଷ ସୀମାରେ 30ରୁ ଅଧିକ ଥର ଏନକାଉଣ୍ଟର ହେଲାଣି ଏଥିରେ ପ୍ରାୟ 100ରୁ ଅଧିକ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା ।

Related Posts