ସିଦ୍ଧୁ ମୁସେୱାଲା ହତ୍ୟା ମାମଲା; ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର କାର୍ଲିଫର୍ଣ୍ଣିଆରେ ଅଟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣାଶୁଣା ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ। ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାର୍ଲିଫର୍ଣ୍ଣିଆ ପୁଲିସ୍‌ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ମୁସେୱାଲାଙ୍କ ହତ୍ୟା ଘଟଣା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା।
ତେବେ ସେ କାନାଡାରେ ରହି ଭାରତରେ ତା’ର ନେଟୱର୍କ ଚଳାଉଥିବାରୁ ତାକୁ ଧରିବା ସହଜ ହେଉ ନଥିଲା। କିନ୍ତୁ ଏବେ ସେ କାର୍ଲିଫର୍ଣ୍ଣିଆରେ ଧରାପଡ଼ିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ଖବର ମିଳିଛି।

ତା’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପୂର୍ଣ୍ଣ ତଥ୍ୟ ମିଳିଥିବା ମଧ୍ୟ କୁହାଯାଉଛି। ତେବେ ଏଯାଏ ବିଧିବଦ୍ଧ ଭାବେ କାର୍ଲିଫର୍ଣ୍ଣିଆ ପ୍ରଶାସନ କିମ୍ବା ପୁଲିସ୍‌ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’, ଆଇବି, ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲ ଓ ପଞ୍ଜାବ ଗୁଇନ୍ଦା ବିଭାଗ ବ୍ରାର ଠିକଣା ସମ୍ପର୍କରେ ସୂଚନା ପାଇଛନ୍ତି ଓ ତା’କୁ କାର୍ଲିଫର୍ଣ୍ଣିଆରେ ଅଟକ ରଖାଯାଇଥିବା ଖବର ହାସଲ କରିଛନ୍ତି।

ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ଏହାର କିଛି ମାସ ପରେ ଅର୍ଥାତ ମେ’ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲାରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ମୁସେୱାଲାଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଘଟଣା ଦିନ ମୁସେୱାଲା ତାଙ୍କର ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ନିଜ ସହ ନେଇ ନଥିଲେ। ଏହାର ସୁଯୋଗ ନେଇ ୬ ଜଶ ଶୁଟର ତାଙ୍କୁ ହତ୍ୟା କରିଥିଲେ।

କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ନିର୍ଦ୍ଦେଶରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏଥିରେ ଜେଲରେ ଥିବା ଲରେନ୍ସ ବିଷ୍ଣୋର ମଧ୍ୟ ଭୂମିକା ରହିଛି। ସେ ଜେଲ ଭିତରେ ରହି ମୁସେୱାଲାଙ୍କୁ ହତ୍ୟା କରିବାକୁ ବ୍ଲି-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମାନସା ପୁଲିସ୍‌ ମୁସେୱାଲାଙ୍କ ହତ୍ୟା ଘଟଣାରେ ଦାଖଲ କରିଥିବା ଚାର୍ଜଶିଟରେ ୩୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଗିରଫ ହୋଇ ସାରିଲେଣି। ଅନ୍ୟମାନଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Related Posts