ଆସ୍ଥା ଭୋଟରେ ପାସ୍ କରିଗଲେ ସିନ୍ଦେ ସରକାର: ସପକ୍ଷରେ ପଡିଲା ୧୬୪ ଭୋଟ୍

ନୂଆଦିଲ୍ଲୀ : ମହାରାଷ୍ଟ୍ର ମହାନାଟକରେ ଉଦ୍ଧବ ଠାକରେ ଙ୍କୁ ଝଟକା ଲାଗିଛି । ସିନ୍ଦେ ସରକାରଙ୍କୁ ସଫଳତା ମିଳିଛି । ପ୍ରଥମ ଅଗ୍ନିପରୀକ୍ଷାରେ ପାସ ପରେ ଆଜି ସଂଖ୍ୟା ପରୀକ୍ଷାରେ ମଧ୍ୟ ବାଜି ମାରିଛନ୍ତି ଏକନାଥ ସିନ୍ଦେ । ବିଧାନସଭାରେ ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କ ସପକ୍ଷରେ ୧୬୪ ଭୋଟ୍ ପଡିଛି ।

ପୂର୍ବରୁ ରବିବାର ମହାରାଷ୍ଟ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ସେ ମହା ବିକାଶ ଅଘାଡି ଗୋଷ୍ଠୀର ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭିଙ୍କୁ ହରାଇଥିଲେ । ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲ ୧୬୪ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭି ୧୦୭ ଖଣ୍ଡ ଭୋଟ୍ ପାଇଥିଲେ ।ଏହାପରେ ସୋମବାର ସିନ୍ଦେ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରିଥିଲା ।

ଫ୍ଲୋର୍ ଟେଷ୍ଟ୍ ବା ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି । ଶିବସେନାରଙ୍କ ସହଯୋଗୀ ସନ୍ତୋଷ ବାଙ୍ଗର ଆଜି ଉଦ୍ଧବ ଠାକରେଙ୍କ ହାତ ଛାଡି ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ତେବେ ଆସ୍ଥା ଭୋଟ୍ ପୂର୍ବରୁ ଏନସିପି ଓ କଂଗ୍ରେସ ବିଧାୟକ ଇଡି ଇଡି ନାରା ଦେଇଥିଲେ ।

ବଢୁଛି ଉଦ୍ଧବଙ୍କ ଅଡୁଆ

ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ନୂଆ ଗେମ୍ ଆରମ୍ଭ କରିଦେଇଥିଲେ ନୂଆ ବାଚସ୍ପତି। ସିନ୍ଦେ ଗୋଷ୍ଠୀକୁ ନୂଆ ବାଚସ୍ପତି ରାହୁଲ ନାର୍ବେକର ସ୍ବୀକୃତି ଦେଇଥିଲେ । ସିନ୍ଦେଙ୍କ ହୁଇପ୍ ନ ମାନିଲେ ଅଯୋଗ୍ୟ ଘୋଷଣା ହୋଇପାରନ୍ତି ଠାକରେ ଗୋଷ୍ଠୀ ବୋଲି ବାଚସ୍ପତି କହିଥିଲେ। ଏତତ୍ ବ୍ୟତୀତ, ବିଧାୟକ ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବାଚସ୍ପତି ବିଦା କରିଦେଇଥିଲେ। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଥିଲା ।

Related Posts