ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ ଏସ୍‌ଆଇଆର୍‌ । ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘରକୁ ଘର ପରିଦର୍ଶନ କରି ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଏଥିପାଇଁ ବିଏଲ୍‌ଓଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଜଣେ ବି ଯୋଗ୍ୟ ଭାରତୀୟ ଯେପରି ଭୋଟର ତାଲିକାରୁ ବାଦ୍‌ ନ ପଡ଼ିବେ ସେଥିପାଇଁ ବିଏଲ୍‌ଓମାନଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଲେ, ଭୋଟରଙ୍କୁ ଦିଆଯାଉଥିବା ଫର୍ମରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଓ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲଓମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ ଓ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ସମୁଦାୟ ୪୫ ହଜାର ୨୫୫ ଜଣ ବିଏଲ୍‌ଓ ଫର୍ମ ବଣ୍ଟନ କାର୍ଯ୍ୟରେ ସାମିଲ ହେବେ।