
ଭୁବନେଶ୍ବର: ରାଜଧାନୀ କଲେଜ ରୁ ପୁଣି ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର | ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି 6 ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ | ଚିହ୍ନଟ ଛାତ୍ରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ କଲେଜ ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ବରରେ ଲମ୍ବିଛି ଜାଲ ସାର୍ଟିଫିକେଟର ଚେର । ଜାଲ ପ୍ରମାଣପତ୍ର ଜରିଆରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ସିଟ ହାତଉଛନ୍ତି ସାଧାରଣ ପିଲା । ଚିକିତ୍ସାଧିକାରୀଙ୍କ ଦ୍ବାରା ରାଜଧାନୀ କଲେଜରୁ 6 ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଛାତ୍ରଙ୍କ ମଧ୍ୟରୁ 2ଜଣ କଟକ ଜିଲ୍ଲାର ହୋଇଥିବାବେଳେ ନୟାଗଡ଼ ଜିଲ୍ଲାରୁ 3 ଜଣ ଓ ଖୋର୍ଦ୍ଧାରୁ ଜଣେ ହୋଇଥିବା ଜଣାପଡ଼ିଛି । ନକଲି ଛାତ୍ର ଚିହ୍ନଟ ହେବା ପରେ ରାଜଧାନୀ କଲେଜ ଅଧ୍ୟକ୍ଷ ଖଣ୍ଡଗିରି ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏନେଇ ରାଜଧାନୀ କଲେଜର ଅଧକ୍ଷା ଡ.ସସ୍ମିତା ଷଡଙ୍ଗୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିସନ୍ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା | କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା |
ସୂଚନାଯୋଗ୍ୟ, ଭଦ୍ରକ ପରେ ରାଜଧାନୀ ଭୁବନେଶ୍ବରରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଥିଲା। ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।
ଏନେଇ ବିଜେବି ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା-୪୨୦,୪୬୫,୪୬୮,୪୭୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ? କେଉଁଠୁ ତିଆରି କରିଥିଲେ? ଏଥିରେ କିଏ କିଏ ସାମିଲ? ସେ ନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇଥିବା ଛାତ୍ରଛାତ୍ରୀମାନେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷର। ସେମାନେ ଯୁକ୍ତ ୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର କଳା ଏବଂ ବିଜ୍ଞାନ ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀମାନେ ଦାଖଲ କରିଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଭଦ୍ରକ ଓ କଟକ ସିଡିଏମ୍ଓ ଅଫିସ୍ ପକ୍ଷରୁ ଜାରି ହୋଇଛି ବୋଲି ଦର୍ଶାଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ଆଡମିସନ୍ କରିଛନ୍ତି, କଲେଜ କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ। ଯେଉଁ ସିଡିଏମଓ କାର୍ଯ୍ୟାଳୟରୁ ଏହି ସାର୍ଟିଫିକେଟ ମିଳିଛି ବୋଲି ଦର୍ଶାଯାଇଥିଲା, ସେଠାକୁ ଯାଞ୍ଚ ପାଇଁ ଚିଠି ପଠା ଯାଇଥିଲା। ଯାଞ୍ଚ ସମୟରେ ଏହି ୮ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିଥିଲା |