ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଜାରି କଲା କଂଗ୍ରେସ, ଜବାବରେ ସ୍ମୃତି କହିଲେ- ‘ମୁଁ ଆମେଠିରେ ଅଛି, ପୂର୍ବତନ ସାଂସଦଙ୍କୁ ଆମେରିକାରେ ଖୋଜ’

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟ ୱାର । କଂଗ୍ରେସ ପକ୍ଷରୁ ଗତକାଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ଏକ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ପୋଷ୍ଟରଟି ଭାଇରାଲ ହେବା ପରେ ଏବେ ଏହାର ଜୋରଦାର ଜବାବ ଦେଇଛନ୍ତି ସ୍ମୃତି ଇରାନୀ।

ତେବେ ଗତକାଲି କଂଗ୍ରେସ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସ୍ମୃତି ଇରାନୀଙ୍କ ଏକ ଫଟୋ ପୋଷ୍ଟ କରାଯାଇ ସେ ନିଖୋଜ ଥିବା ନେଇ ଲେଖା ଯାଇଥିଲା। ଏହାସହିତ ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ସ୍ମୃତି ଚୁପ ଅଛନ୍ତି ଓ ଲୁଚୁଛନ୍ତି ବୋଲି କୁହାଯାଇଥିଲା | ଗତ କିଛି ଦିନ ଧରି ସେ ନିଜ ଲୋକସଭା କ୍ଷେତ୍ର ଆମେଠିକୁ ଯାଇ ନ ଥିବା ଦର୍ଶାଇ କଂଗ୍ରେସ ତାଙ୍କ ଫଟୋ ଟ୍ୱିଟ କରି ସେ ନିଖୋଜ ଥିବା କହିଥିଲା|

ସେପଟେ ସ୍ମୃତି ଇରାନୀ ଏହାର କଡ଼ା ଜବାବ ଦେଇଛନ୍ତି ଓ ଟ୍ୱିଟ କରି କହିଛନ୍ତି ଯେ, ହେ ଦିବ୍ୟ ରାଜନୈତିକ ପ୍ରାଣୀ, ମୁଁ ଏବେ ଆମେଠି ଲୋକସଭା କ୍ଷେତ୍ରର ଏକ ଗାଁରେ ଅଛି। ଆପଣ ଯଦି ପୂର୍ବତନ ସାଂସଦଙ୍କୁ ଖୋଜୁଛନ୍ତି ତାହେଲେ ଦୟାକରି ଆମେରିକା ସହ ସମ୍ପର୍କ କରନ୍ତୁ ।

ଏହାସହିତ ସ୍ମୃତି ବୁଧବାର ଆମେଠିରେ ନାଁ ନ ନେଇ ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଯିଏ ନିଜ ସଂସଦୀୟ କ୍ଷେତ୍ରରେ କିଛି ଆଖିଦୃଶିଆ କାମ କରି ପାରି ନାହାନ୍ତି, ସେ ବିଦେଶ ଯାଇ ଭାରତର ଅପମାନ କରୁଛନ୍ତି। ୨୦୧୪ ପୂର୍ବର ଭାରତ ଓ ଏହା ପର ଭାରତ ମଧ୍ୟରେ ବହୁ ଫରକ ଅଛି। ଦେଶକୁ ଗାନ୍ଧି ପରିବାରଠୁ ମୁକ୍ତି ମିଳି ଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କଂଗ୍ରେସର ଗଡ଼ କୁହାଯାଉଥିବା ୟୁପିର ଆମେଠି ଲୋକସଭା ଆସନରେ ୨୦୧୯ ରେ ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ହରାଇଥିଲେ | ରାହୁଲ ଗାନ୍ଧି ୨୦୧୯ରେ ଉଭୟ ୟୁପିର ଆମେଠି ଓ କେରଳର ୱାଇନାଡରୁ ନିର୍ବାଚନ ଲଢ଼ିଥିବା ବେଳେ ଆମେଠିରୁ ହାରି ଯାଇଥିଲେ। ମାତ୍ର ୱାଇନାଡରୁ ସେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଦଣ୍ଡାଦେଶ ମିଳିଥିବା ବେଳେ ସେ ୱାଇନାଡରୁ ନିଜ ସାଂସଦ ପଦ ହରାଇ ସାରିଛନ୍ତି।

Related Posts