“କେନ୍ଦ୍ରରେ କିଛି ଦୁଷ୍ଟ ଲୋକ ବସିଛନ୍ତି ଓ ଦେଶରେ ଥିବା ଅଣ-ବିଜେପି ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି”: କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କ୍ରମାଗତ ଭାବରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କେସିଆର ତାଙ୍କ ବିବୃତ୍ତିରେ କେନ୍ଦ୍ର ସରକାରଙ୍କୁ ବିଭାଜନକାରୀ ରାଜନୀତି କରୁଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, “କେନ୍ଦ୍ରରେ କ୍ଷମତାରେ କିଛି ଦୁଷ୍ଟ ଲୋକ ବସିଛନ୍ତି ଓ ସାରା ଦେଶରେ ଅଣ-ବିଜେପି ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି।” ତେବେ କେସିଆର କହିଛନ୍ତି ଯେ ଏହି ଲୋକ ମାନଙ୍କୁ କେନ୍ଦ୍ରରୁ ହଟାଇବା ପରେ ଦେଶ ଓ ରାଜ୍ୟର ସ୍ଥିତି ଭଲ ହେବ।

ରାଙ୍ଗାରେଡି ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସ ଉଦ୍ଘାଟନ କରି କେସିଆର ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଅଭିଯୋଗ କରିଛନ୍ତି ଯେ ୨୦୧୪ ରେ ଆନ୍ଧ୍ରପ୍ରଦେଶର ବିଭାଜନ ପରେ କୃଷ୍ଣା ନଦୀ ଜଳରେ ତେଲେଙ୍ଗାନାର ଅଂଶ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ଅଯୋଗ୍ୟ ସରକାର ହଟାଇବା ପରେ ଏହା ଆମ ଦେଶ ପାଇଁ ଭଲ ହେବ। ଆମର ତେଲେଙ୍ଗାନା ମଧ୍ୟ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ୍। ଜାତୀୟ ରାଜନୀତିରେ ଆମେ ଚେଷ୍ଟା କରିବା ଉଚିତ କି? ଆମେ ଆଗକୁ ବଢ଼ିବା ଉଚିତ କି? ବୋଲି ଉପସ୍ଥିତ ଲୋକଙ୍କୁ ସେ ପ୍ରଶ୍ନ କରିଛନ୍ତି। କେସିଆର ଆହୁରି କହିଛନ୍ତି ଯେ ଏହି ଦୁଷ୍ଟ ଲୋକଙ୍କୁ ସରକାରରୁ ବିଦାୟ ଦେବା ପରେ ହିଁ ପ୍ରାୟଶ୍ଚିତ ହୋଇପାରିବ ଓ ଏକ ସୁନାର ତେଲେଙ୍ଗାନା ଗଠନ ହେବ। ସେ କହିଛନ୍ତି ଯେ ଆଗକୁ ତେଲେଙ୍ଗାନା ମଧ୍ୟ ଜାତୀୟ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେଭଳି ଲୋକମାନଙ୍କ ପାଇଁ ଏହି ଦେଶରେ କୌଣସି ସ୍ଥାନ ନାହିଁ, ଯେଉଁମାନେ ଲୋକଙ୍କୁ ବିଭାଜନ କରି ସମାଜରେ ଫାଟ ସୃଷ୍ଟି କରିଛନ୍ତି ବୋଲି ସେ ନିଜ ଭାଷଣ ରେ କହିଛନ୍ତି।

Related Posts