ଅଜାଗାରେ ନବୀନଙ୍କ ଚେଙ୍କ: କାର୍ଯ୍ୟକାରିଣୀରୁ ସୌମ୍ୟ ଆଉଟ୍

(ସତ୍ୟପାଠ ବ୍ୟୁରୋ) ନବୀନଙ୍କ ରାଜନୀତିର ସୁଆଦ ଶେଷରେ ଚାଖିଲେ ସୌମ୍ୟ । ବୁଧବାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ହେବା ପରେ ବିଜେଡି କାର୍ଯ୍ୟକାରିଣୀ ଗଠନ କରାଯାଇଛି । ନବୀନଙ୍କୁ ଛାଡ଼ି 80 ଜଣିଆ ତାଲିକା ଘୋଷଣା ହୋଇଛି । ଏଥିରେ ସ୍ବାଧୀନ ନାୟକ, ପ୍ରହ୍ଲାଦ ତ୍ରିପାଠୀ, ଶ୍ରୀକାନ୍ତ ସାହୁ, ସୁଶାନ୍ତ ରାଉତ, ରାଜୀବ ପାତ୍ର ଏବଂ ବିପ୍ଳବ ପାତ୍ରଙ୍କ ଭଳି ବହୁ ଏରେଗେରେ ନେତାଙ୍କ ନାଁ ଅଛି । ଏହି ଖବରର ତାତ୍‌ପର୍ଯ୍ୟ ହେଲା ଯେ କାର୍ଯ୍ୟକାରିଣୀରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁ ନାହିଁ । ଏମାନେ ଥିବା ବେଳେ ସୌମ୍ୟ ବାବୁଙ୍କ ନାଁ ନଥିବା କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଦଳର ବହୁ ନେତାଙ୍କୁ ଏହା ଆଦୌ ଅସ୍ବାଭାବିକ ଲାଗିନାହିଁ । ଜଣେ ନେତା ନିଜ ନାଁ ଗୋପନ ରଖି କହିଛନ୍ତି ଯେ ସୌମ୍ୟ ବାବୁଙ୍କୁ ସାଇଡ୍‌ ମାରିବା ପଛର କାରଣ କୁଆଡେ ନିଜେ ସୌମ୍ୟ ବାବୁ । ଆଉ ଏଥିପାଇଁ ସୌମ୍ୟ ବାବୁଙ୍କର ଡବଲ ରୋଲ ମହଙ୍ଗା ପଡ଼ିଛି । ଗୋଟିଏ ପଟେ ସମ୍ବାଦପତ୍ର ମାଲିକ, ସାମ୍ବାଦିକ ଅନ୍ୟପଟେ ବିଜୁ ଜନତା ଦଳର ନେତା ଓ ବିଧାୟକ ।

ରାଜ୍ୟ କାର୍ଯ୍ୟକାରିଣୀରୁ ବାଦ୍ ପଡ଼ିବା ଖବର ସୌମ୍ୟ ବାବୁଙ୍କର କିଛି ଅନୁଗାମୀ ଏବଂ ନିଜ ନିର୍ବାଚନମଣ୍ଡଳୀର କିଛି ଲୋକଙ୍କୁ ବ୍ୟଥିଥ କରିଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ସୌମ୍ୟବାବୁଙ୍କ ପରିସ୍ଥିତି ଏଭଳି ନା ଖୁଲମଖୁଲା କିଛି କହିପାରୁଛନ୍ତି ନା ଏହାକୁ ସ୍ବାଗତ କରିପାରୁଛନ୍ତିବିଜେଡିର କିଛି ବରିଷ୍ଠ ନେତାଙ୍କର କହିବା କଥା କି ଯେଉଁ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲ ପାଇଁ ସୌମ୍ୟ ବାବୁଙ୍କୁ ବିଜୁ ଜନତା ଦଳରେ ରେଡ୍‌ କାର୍ପେଟ ଏଣ୍ଟ୍ରି ମିଳିଥିଲା ଏବେ ସାଇଡ୍‌ ହେବା ପଛରେ ବି ସେହି ସମ୍ବାଦପତ୍ର ଓ ଟିଭି ରହିଛି । କାରଣ ପ୍ରଥମେ ରାଜ୍ୟସଭା ସାଂସଦ ଏବଂ ପରେ ବିଧାୟକ ନିର୍ବାଚିତ ହେବା ପରେ ସୌମ୍ୟ ବାବୁଙ୍କ ଖବରକାଗଜ ଏଭଳି କିଛି ଖବର ଲେଖୁଛି ତାହା ବିରୋଧୀଙ୍କ ଅପେକ୍ଷା ନବୀନ ବାବୁ ଓ ଓଡ଼ିଶା ସରକାରଙ୍କୁ ଅଧିକ ଅସୁବିଧାରେ ପକାଉଛି ।

ଏକଥା ସତ ଯେ ସୌମ୍ୟ ବାବୁ ବିଜୁ ଜନତା ଦଳରେ ଯୋଗଦେବା ଓ ନବୀନ ବାବୁ ବହୁ ଗୁରୁତ୍ବପୂର୍ଣ୍ଣ 2019 ନିର୍ବାଚନ ପୂର୍ବରୁ ଦଳରେ ତାଙ୍କୁ କୋଳାଇ ନେବା ପଛର କାରଣ ହେଉଛି ଅତ୍ୟଧିକ ସୁବିଧାବାଦୀ ଉଦ୍ଦେଶ୍ୟ । ଆଉ ଟିକେ ସରଳରେ କହିଲେ ପାରସ୍ପରିକ ସୁବିଧା ବା (Mutual Convenience) । ଏହା ପଛରେ କୌଣସି ବିରାଟ ଉଦ୍ଦେଶ୍ୟ, ଜନ ସମୁଦାୟର ବିକାଶର ଉଦ୍ଦେଶ୍ୟ ନଥିଲା । ନା ତ ନବୀନ ବାବୁଙ୍କ ବ୍ୟକ୍ତିତ୍ବ ଆଉ ରାଜନୈତିକ ବିଚାର ବୁଦ୍ଧି ବା ବିଜେଡିର ଦର୍ଶନରେ ସୌମ୍ୟ ବାବୁ ସେଭଳି ଅନୁପ୍ରାଣିତ ବା ପ୍ରଭାବିତ ହୋଇନଥିଲେ । ନା ସୌମ୍ୟ ବାବୁଙ୍କର ରାଜନୈତିକ କାର୍ଯ୍ୟକ୍ରମ ବା ସମାଜ ସେବାକୁ ନେଇ ନବୀନ ବାବୁ ସେଭଳି ପ୍ରଭାବିତ ହୋଇ ନଥିଲେ । 2017 ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶାଧିତ ଶକ୍ତି ଓ ସାମର୍ଥ୍ୟର ବୃଦ୍ଧି, ବୈଜୟନ୍ତ ଓ ତଥାଗତଙ୍କ ମିଡିଆ ସଂସ୍ଥା ବିଜେଡି ହାତରୁ ଖସିଯିବା ପରେ ସୌମ୍ୟ ବାବୁଙ୍କର ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲର ଆବଶ୍ୟକତା ଥିଲା ବିଜେଡିର । ସେହି ଭଳି କଂଗ୍ରେସ, ବିଜେପି, ଏନ୍‌ସିପି ଓ ଆମ ଓଡ଼ିଶା ଭଳି ବିଭିନ୍ନ ଦଳରୁ ବିଫଳ ହେବା ଏବଂ ବାରମ୍ବାର ଖଣ୍ଡପଡ଼ାରୁ ପରାଜିତ ହେବା ପରେ ସୌମ୍ୟଙ୍କ ପାଖରେ ମଧ୍ୟ ବିଜେଡି ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା । ଯାହାକୁ ନିଜେ ସୌମ୍ୟ ବାବୁ ମଧ୍ୟ ସ୍ବୀକାର କରିଥିଲେ । ଯେଉଁମାନେ ସୌମ୍ୟ ବାବୁ ଏବଂ ନବୀନ ବାବୁଙ୍କୁ ଜାଣିଛନ୍ତି ସେମାନେ 2018ର ମିଶ୍ରଣ ସମୟରେ ଭବିଷ୍ୟବାଣୀ କରିଥିଲେ ଯେ ଉଭୟଙ୍କର ସ୍ଥାୟିତ୍ବ ବେଶୀ ଦିନ ରହିବ ନାହିଁ, ଏହା ଖୁବଶୀଘ୍ର ଫେଡ଼ାଣରେ ସରିବ । କାରଣ ଅତୀତରେ ସୌମ୍ୟ ବାବୁ ନବୀନ ବାବୁଙ୍କୁ ଯାହା କହିଛନ୍ତି ତାକୁ ନବୀନ ବାବୁ ଭୁଲି ନାହାନ୍ତି । ଆଉ ସୌମ୍ୟ ବାବୁଙ୍କ ଭଳି ଉଚ୍ଚାଭିଳାଷୀ ନେତା ବିଜେଡି ଆଉ ବିଶେଷ ଭାବେ ନବୀନ ଏବଂ ପାଣ୍ଡିଆନଙ୍କ ରେଜିମେଣ୍ଟ ପଲିଟିକ୍ସ ଭିତରେ ସୀମିତ ହୋଇ ରହିବେ ନାହିଁ । ଚର୍ଚ୍ଚା ହେଉଛି ପାଣ୍ଡିଆନ ମଧ୍ୟ ଏହାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ଏତେ ଶୀଘ୍ର ଫେଡାଣ ଆଡ଼କୁ ଯିବ ତାହା ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଆଭାଷ ମଧ୍ୟ ସୌମ୍ୟ ବାବୁ ପାଇଛନ୍ତି । ବିଗତ କିଛି ଦିନ ମଧ୍ୟରେ ତାଙ୍କର ସମ୍ବାଦପତ୍ରରେ ଧର୍ମେନ୍ଦ୍ରଙ୍କୁ ଯେଭଳି ଭାବେ ଗୁରୁତ୍ବ ଦିଆଯାଉଛି ତାକୁ ନେଇ ପାଣ୍ଡିଆନ ଏବଂ ନବୀନ ବାବୁ ବି ଖୁବ୍ଧ ।

ଅନ୍ୟପଟେ ବିଜେଡିର କିଛି ନେତା ଯାହାଙ୍କର ସୌମ୍ୟ ବାବୁଙ୍କ ସହ ଭଲ ସମ୍ପର୍କ ରହିଛି ସେମାନଙ୍କ କହିବା କଥା ବିଜେଡି କାର୍ଯ୍ୟକାରିଣୀରେ ସୌମ୍ୟ ବାବୁଙ୍କୁ ନାଁ ନରହିବା ପଛରେ ହୁଏତ ତାଙ୍କୁ ଦଳର ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦ ଦିଆଯିବା ରହିଛି । ତେଣୁ କାର୍ଯ୍ୟକାରିଣୀରେ ନନେବା କଥା କହିବାର କିଛି ଯଥାର୍ଥତା ନାହିଁ ।

Related Posts