‘୨୦ ମିନିଟରେ ନୀତିଶ-ଲାଲୁଙ୍କୁ ନିଜ ପ୍ରକୋଷ୍ଠରୁ ବିଦା କରିଦେଲେ ସୋନିଆ’; ନୀତିଶ କୁମାରଙ୍କୁ ସୁଶୀଲ ମୋଦିଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗି ଲାଲୁ ଯାଦବଙ୍କ ପାର୍ଟି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି ନୀତିଶ କୁମାର । ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିରୋଧୀ ଦଳ ମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ବିଭିନ୍ନ ବିରୋଧୀ ଦଳର ନେତା ମାନଙ୍କୁ ଭେଟୁଛନ୍ତି । ନିକଟରେ ରବିବାର ଦିନ ସେ ଲାଲୁ ଯାଦବଙ୍କ ସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ସାକ୍ଷାତକୁ ନୀତିଶଙ୍କ ସମର୍ଥକ ମାନେ ଜୋରସୋରରେ ପ୍ରଚାର କରିଛନ୍ତି। ତେବେ ଏହି ବହୁ ଚର୍ଚିତ ଲାଲୁ-ନୀତିଶ-ସୋନିଆ ଆଲୋଚନା ବେଳର କୌଣସି ଫଟୋ ବାହାରକୁ ଆସି ନ ଥିଲା । ଏହାକୁ ନେଇ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଂସଦ ସୁଶୀଲ କୁମାର ମୋଦୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କୁ ତିରସ୍କାର କରିଦେଇଛନ୍ତି । ଏବେ ନୀତିଶ ଓ ଲାଲୁଙ୍କୁ ରାଷ୍ଟ୍ରୀୟ ରାଜନୀତିରେ ତାଙ୍କର କେତେ ମୂଲ୍ୟ ରହିଛି ତାହା ସେମାନେ ନିଜେ ବୁଝିଯିବା କଥା ।

ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ଲାଲୁ ଓ ନୀତିଶ ନିଜେ ନିଜେ ହାତ ଉପରକୁ ଉଠାଇ ଫଟୋ ଉଠାଇ ଗଣମାଧ୍ୟମକୁ ଜାରୀ କରିଛନ୍ତି । ସୁଶୀଲ ମୋଦୀ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଉଭୟ ଲାଲୁ ଓ ନୀତିଶଙ୍କୁ ମାତ୍ର ୨୦ ମିନିଟ ମଧ୍ୟରେ ତାଙ୍କ ପ୍ରକୋଷ୍ଠରୁ ବିଦା କରି ଦେଇଥିଲେ । ସୋନିଆ ତାଙ୍କ ସହ ଫଟୋ ମଧ୍ୟ ଉଠାଇ ନ ଥିଲେ । କେବଳ ସେତିକି ନୁହେଁ, ସୋନିଆ ଲାଲୁ ଓ ନୀତିଶଙ୍କୁ ଦ୍ବାର ଯାଏ ଛାଡିବାକୁ ମଧ୍ୟ ଉଚିତ ମନେ କରି ନ ଥିଲେ ବୋଲି କହି ସୁଶୀଲ କଟାକ୍ଷ କରିଛନ୍ତି ।

ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ନୀତିଶ ଓ ଲାଲୁଙ୍କ ପ୍ରତି ଏପରି ବ୍ୟବହାର ସ୍ପଷ୍ଟ କରୁଛି ଯେ ନୀତିଶ କୁମାରଙ୍କ ବିରୋଧୀ ଦଳ ଯୋଡୋ ଅଭିଯାନକୁ ସେ ଆଦୌ ପସନ୍ଦ କରୁ ନାହାନ୍ତି । ଯଦି କଂଗ୍ରେସ ନୀତିଶ କୁମାରଙ୍କ ଲାଇନକୁ ସମର୍ଥନ କରନ୍ତା ତେବେ ରାହୁଲ ଗାନ୍ଧୀଙ୍କୁ ପ୍ରଜେକ୍ଟ କରୁଥିବା ଭାରତ ଯୋଡୋ ଯାତ୍ରା କାହିଁକି ଜାରୀ ରଖିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।

Related Posts