ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭିର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଭୁବନେଶ୍ଵର,୪/୧(ସତ୍ୟପାଠ ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି। ବୁଧବାର ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ତେବେ ସେ ପ୍ରକୃତରେ କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ତାହା ଜଣାପଡ଼ିନଥିବାବେଳେ ସେ ରୁଟିନ ଚେକ ଅପ ପାଇଁ ହସ୍ପିଟାଲ ଯାଇଥିବା କୁହାଯାଉଛି। ସୋନିଆଙ୍କ ସହ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ହସ୍ପିଟାଲରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ସୋନିଆ ପୀଡ଼ିତ ଅଛନ୍ତି। ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଥିଲା। ଏହି ଖବର ମିଳିବା ପରେ ଭାରତ ଯୋଡ଼ୋ ଯାତ୍ରା ଛାଡ଼ି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଦିଲ୍ଲୀ ଚାଲି ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଭାରତ ଯୋଡ଼ୋ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିଥିଲା। ହେଲେ ପ୍ରାୟ ୭ କିମି ଚାଲିବା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ମା’ଙ୍କ ପାଖକୁ ଫେରି ଆସିଥିଲେ।

ରାତିରେ ସବୁ କିଛି ଠିକଠାକ ଥିବା ବେଳେ ଆଜି ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ଆଜି ସକାଳ ୬ଟାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଉତ୍ତର ପ୍ରଦେଶର ଭାଗପତ ଅନ୍ତର୍ଗତ ମାଭିକାଲନଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରାରେ ରାହୁଲଙ୍କ ସହ ପ୍ରିୟଙ୍କା ଯୋଗ ଦେଇନାହାନ୍ତି। ସମ୍ଭବତଃ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ବିଳମ୍ବରେ ଯାତ୍ରାରେ ସାମିଲ ହେବେ ବୋଲି କୁହାଯାଉଛି।

Related Posts