୨୦୨୪ରେ ରାହୁଲ ଗାନ୍ଧୀ ହେବେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ‘ଭାରତ ଯୋଡ଼ୋ ଯାତ୍ରା’କୁ ବ୍ୟାପକ ଜନ ସମର୍ଥନ ହାସଲ ମିଳିଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ମିଳିତ ବିରୋଧୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି। ଏକ ସାକ୍ଷାତକାରରେ କମଲ ନାଥ କହିଛନ୍ତି ଯେ, କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ଏବଂ ତାଙ୍କ ପଛରେ ସବୁ ବିରୋଧୀ ଦଳର ସମର୍ଥନ ରହିବ ବୋଲି ସେ ଆଶା କରୁଛନ୍ତି।

ରାହୁଲ ଭାରତ ଯୋଡ଼ୋ ଯାତ୍ରାକୁ ଅତି ବ୍ୟାପକ ଭାବେ ସଫଳ କରାଇଛନ୍ତି ଏବଂ ବିଶ୍ବରେ କୌଣସି ନେତା ଏତେ ଲମ୍ବା ପଦଯାତ୍ରା କରିନାହାନ୍ତି ବୋଲି କମଳ ନାଥ କହିଛନ୍ତି । ଗାନ୍ଧି ପରିବାର ଦେଶପାଇଁ ଯେଭଳି ବଳିଦାନ ଦେଇଛି ସେହିଭଳି ତ୍ୟାଗ ଅନ୍ୟ କୌଣସି ପରିବାରଠାରେ ଦେଖିବାକୁ ମିଳିନାହିଁ ବୋଲି କମଲନାଥ କହିଛନ୍ତି। ରାହୁଲ କେବଳ କ୍ଷମତା ହାସଲ ପାଇଁ ରାଜନୀତି କରୁନାହାନ୍ତି, ଦେଶର ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ସେ ରାଜନୀତି କରୁଛନ୍ତି। ସାଧାରଣ ଜନତାଙ୍କୁ ଶୋଷଣ ଓ ଦୁର୍ନୀତିରୁ ସୁରକ୍ଷା ଦେବାପାଇଁ ରାହୁଲ ସର୍ବଦା ସଂଗ୍ରାମ କରିଆସିଛନ୍ତି ବୋଲି କମଳ ନାଥ କହିଛନ୍ତି।

ଏହି ସାକ୍ଷାତକାରରେ କମଳନାଥ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦଳକୁ ଧୋକା ଦେଇଥିବା ବିଶ୍ବାସଘାତକମାନଙ୍କ ପାଇଁ ଦଳରେ ଆଉ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ପୁଣି ଥରେ ସରକାର ଗଢ଼ିବ ଏବଂ ବିଜେପିର ବଡ଼ ବିପର୍ଯ୍ୟୟ ଘଟିବ ବୋଲି ମତରଖି କମଳନାଥ କହିଛନ୍ତି ଯେ ଜନସାଧାରଣ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଲେଣି। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ନୂଆ ଚେହେରା ନେଇ ନିର୍ବାଚନ ଲଢ଼ିଲେ ମଧ୍ୟ ଏହା କୌଣସି ଫରକ ପକାଇବ ନାହିଁ ବୋଲି ସେ କହିଛନ୍ତି।

Related Posts