
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଗାଁ ଠୁ ସହର ଚାରିଆଡେ ଉତ୍ସବମୁଖର । ଦୀପାବଳିକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାମାରୀ କଟକଣା ଫଳରେ ବିଗତ ୨ ବର୍ଷ ହେଲା ଲୋକେ ଦୀପାବଳୀକୁ ଧୁମଧାମରେ ପାଳନ କରିନଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ଲୋକେ ବାଣ ଫୁଟାଇ ଆଡମ୍ବରର ସହ ଦୀପାବଳି ମନାଇବେ। ତେବେ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ ପ୍ରସ୍ତୁତ କରାଯାଇଛି ।
ଏନେଇ କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,”ଦୀପାବଳିରେ କୌଣସି ପ୍ରକାର ଅଘଟଣ ନେଇ ସମସ୍ତ ଟିମ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ଇଏନଟି ବିଭାଗ, ଅର୍ଥୋପେଡିକ ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ଚକ୍ଷୁ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକୁ ଆଗୁଆ ଆଲର୍ଟ କରାଯାଇଛି । ଡ୍ରେସିଂ ରୁମ ଠାରୁ ଆରମ୍ଭ କରି କାଜୁଆଲଟିରେ ଅଧିକ ହସ୍ପିଟାଲ କର୍ମଚାରୀ, ନର୍ସଙ୍କୁ ନିୟୋଜିତ କରାଯାଇଛି ।” ରାତିରେ କାଜୁଆଲଟି ବିଭାଗରେ ତିନୋଟି ଡାକ୍ତର ରହିବେ । ଏହା ବ୍ୟତୀତ ସର୍ଜରୀ ସ୍ପେଶାଲିଷ୍ଟ, ଅର୍ଥୋପେଡିକ ସ୍ପେଶାଲିଷ୍ଟ ଏବଂ ପ୍ଲାଷ୍ଟିକ ସର୍ଜରୀ ପାଇଁ ସ୍ପେଶାଲିଷ୍ଟ ରହିବେ ବୋଲି ଡେପୁଟି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।