ବିଧାନସଭାରେ କ୍ରୀଡା ମନ୍ତ୍ରୀଙ୍କ ଉତ୍ତର; ୨୦୨୩ ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ୭୫ କୋଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୩ ପୁରୁଷ ବିଶ୍ୱକପ୍‌ ହକି ଓଡ଼ିଶାର ଭୁବନେଶ୍ୱର ଓ ରାଉକେଲାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର କ୍ରୀଡ଼ା ପରିଚାଳନା ନିମନ୍ତେ ୨୦୨୨-୨୩ ବର୍ଷର ରାଜ୍ୟ ବଜେଟରୁ ୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କ୍ରୀଡ଼ା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ପାଇଁ ସମୁଦାୟ ୧୦୨୩.୪୦ କୋଟିର ଅର୍ଥ ବ୍ୟୟ ଅଟକଳ କରାଯାଇଛି।

ଆଜି ଶୀତକାଳୀନ ଅଧିବେଶନ ପ୍ରଥମ ଦିନରେ ଗୃହରେ ବିଶ୍ୱକପ ହକି ପାଇଁ ଅଟକଳ ସମ୍ପର୍କରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଏହି ସୂଚନା ଦେଇଛନ୍ତି।

ସେହିପରି ବିଶ୍ୱକପ ହକି ଖେଳ ପାଇଁ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଗତ ବିଶ୍ୱକପ ହକିଖେଳ ପାଇଁ ସମୁଦାୟ ୬୬ କୋଟି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ସେହି ହକି ବିଶ୍ୱକପ ଖେଳ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ଅର୍ଥ ଅନୁଦାନ ଆସିନାହିଁ। ପୁୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ ନିମନ୍ତେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମର ଉନ୍ନତିକରଣ, ନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ ପାଇଁ ୨୦୨୨-୨୩ ଆର୍ଥି ବର୍ଷର ରାଜ୍ୟ ବଜେଟରୁ ସମୁଦାୟ ୧୦୯୮.୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Related Posts