
ସୀତାପୁର: ଶ୍ରଦ୍ଧା ୱାଲକରଙ୍କ ନିର୍ମମ ହତ୍ୟା ଘଟଣାର ପୁନରାବୃତ୍ତି ଘଟିଛି । ଉତ୍ତର ପ୍ରଦେଶର ସୀତାପୁରରୁ ଆସିଛି ଏହି ସମାନ ଅଭିଯୋଗ । ଏଠାରେ ପଙ୍କଜ ମୟୂର ନାମକ ଜଣେ ବ୍ୟକ୍ତି ତା’ ପତ୍ନୀ ଜ୍ୟୋତି ଓରଫ ସ୍ନେହାଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କରିଛି ।
ଏହାପରେ ଜ୍ୟୋତିଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଫୋପାଡ଼ି ଦେଇଛି। ଏଥିରେ ପଙ୍କଜକୁ ତା’ର ଜଣେ ବନ୍ଧୁ ସବୁ ପ୍ରକାରର ସହଯୋଗ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ପଙ୍କଜ ଓ ତା’ର ବନ୍ଧୁକୁ ଗିରଫ କରିଛି। ସେମାନେ ମଧ୍ୟ ନିଜର ଅପରାଧକୁ ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି।
ନଭେମ୍ବର ୮ରେ ସୀତାପୁର ପୁଲିସ୍ ପ୍ରଥମେ ଜ୍ୟୋତିଙ୍କ ଖଣ୍ଡବିଖଣ୍ଡ ମୃତଦେହର ଅଂଶବିଶେଷ ଠାବ କରିଥିଲା। ଗୁଲାରିହା ଅଞ୍ଚଳରୁ ଏପରି ଖଣ୍ଡବିଖଣ୍ଡିତ ଶରୀର ମିଳିବା ପରେ ପୁଲିସ୍ ତଦନ୍ତକୁ ଜୋରଦାର କରିଥିଲା। ତଦନ୍ତ ବେଳେ ପଙ୍କଜ ଓ ତା’ର ବନ୍ଧୁ ଦୁରଜନ ପାସି ପୁଲିସ୍ ସ୍କାନରକୁ ଆସିଥିଲେ। ସେମାନଙ୍କୁ ଜେରା କରିବା ବେଳେ ପୁଲିସ୍ ହତ୍ୟା ପଛର ରହସ୍ୟ ସମ୍ପର୍କରେ ଜାଣିବାକୁ ପାଇଛି।
ଜେରା ବେଳେ ପଙ୍କଜ ପୁଲିସ୍କୁ କହିଛି ଯେ ତା’ ପତ୍ନୀ ଜ୍ୟୋତି ନିୟମିତ ଡ୍ରଗ୍ସ ସେବନ କରୁଥିଲେ। ଏପରି କି ଡ୍ରଗ୍ସ ନିଶାରେ ସେ ଆଉ ଜଣଙ୍କ ଘରେ ମଧ୍ୟ ଅନେକ ଦିନ ଧରି ରହୁଥିଲେ। ଏହାକୁ ନେଇ ପଙ୍କଜ ଓ ଜ୍ୟୋତିଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା।
ବାରମ୍ବାର ତାଗିଦ ଓ ବୁଝାଇବା ସତ୍ତ୍ୱେ ଜ୍ୟୋତି ନିଜର ଅଭ୍ୟାସ ବଦଳାଇ ନଥିଲେ। ଶେଷରେ ହତାଶ ହୋଇ ପଙ୍କଜ ନିଜ ପତ୍ନୀ ଜ୍ୟୋତିଙ୍କୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି।
୧୦ ବର୍ଷ ହେଲା ଉଭୟ ବାହା ହୋଇ ଏକାଠି ରହୁଥିଲେ ମଧ୍ୟ ନିଶା ଓ ସନ୍ଦେହ ସବୁ କିଛିକୁ ଛିନଛତ୍ର କରି ଦେଇଛି। ଜ୍ୟୋତିଙ୍କୁ ହତ୍ୟା କରିବା ପାଇଁ ପଙ୍କଜ କରୁଥିବା ଯୋଜନାରେ ସବୁ ପ୍ରକାରର ସହାୟତା କରିଥିଲା ପାସି। ପ୍ରଥମେ ପଙ୍କଜ ତଣ୍ଟି ଚିପି ଜ୍ୟୋତିଙ୍କୁ ହତ୍ୟା କରିଥିଲା।
ଏହାପରେ ତାଙ୍କ ପରିଚୟ ଲୁଚାଇବା ପାଇଁ ମୃତଦେକୁ ଗୋଟିଏ ଧାରୁଆ ଅସ୍ତ୍ରରେ ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଏହି ଖଣ୍ଡବିଖଣ୍ଡିତ ଅଂଶକୁ ପାସି ଓ ପଙ୍କଜ ଗୁଲାରିହା ଅଞ୍ଚଳର ଗୋଟିଏ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲେ।
ପୁଲିସ୍ ଶରୀରର ବିଭିନ୍ନ ଅଂଶ ଠାବ କରିବା ପରେ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିଥିଲା। ଶେଷରେ ପଙ୍କଜ ପାଖରେ ପହଞ୍ଚି ଘଟଣା ଉପରୁ ପରଦା ହଟାଇଥିଲା