ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା : ମହାନଦୀକୁ ନାହିଁ ବିପଦ ଆଶଙ୍କା , ବଢୁଛି ସୁବର୍ଣ୍ଣରେଖା ଜଳସ୍ତର , ଆଜି ରାତିରେ ପିକ୍ ଛୁଇଁବ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମହାନଦୀରୁ ବିପଦ ଆଶଙ୍କା ନାହିଁ । ହୀରକୁଦରେ ଏବେ ଜଳସ୍ତର କମୁଛି , ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀଠାରେ ପିକ୍ ୱାଟର ଫ୍ଲୋ ପାସ୍ କରିବ । ଫଳରେ ସାଢେ ୭ ଲକ୍ଷରୁ ୮ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର କମିଛି । କିନ୍ତୁ, ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି । ଏସ୍ଆରସିଙ୍କ ସୂଚନା ମୁତାବକ ଆଜି ରାତିରେ ସୁବର୍ଣ୍ଣରେଖା ପିକ୍ ଲେବଲରେ ପହଂଚିପାରେ । 

ଏହା ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଂଚଳର କିଛି ଗାଁରେ ପାଣି ପଶିବାର ଆଶଙ୍କା ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ଏସଆରସି କହିଛନ୍ତି। 

ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଥିବା କାରଣରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ରହିଛି । ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବା ପାଇଁ ସତର୍କ କରାଯାଉଛି ।  ସାଙ୍ଗରେ ଜରୁରୀ କାଗଜ ପତ୍ର ଓ ଶୁଖିଲା ଖାଦ୍ୟ ଧରି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବା ପାଇଁ କୁହାଯାଉଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି। 

Related Posts