ମା’ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ : ସରକାରୀ ନିୟମରେ ହେବନି କୌଣସି ପରିବର୍ତ୍ତନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରୀ ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବାଲୁବଜାର ପୂଜା କମିଟି ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ମହାମାରୀ ସମୟରେ ସରକାରୀ ନିର୍ଦ୍ଦେଶାନାମାରେ ହସ୍ତକ୍ଷେପ ପାଇଁ ଉଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି । ଗୁରୁବାର ଦିନ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଉଚ୍ଚତା କମିଲେ କ’ଣ ଅସୁବିଧା ରହିଛି ? ଆବେଦନକାରୀଙ୍କ ଓକିଲ ପକ୍ଷରୁ କୁହାଯାଇଥିଲା , ସମସ୍ୟାର କଥା ନୁହେଁ, ଏହା ହେଉଛି ଭାବାବେଗର କଥା । ଏହାର କାଉଣ୍ଟରରେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏହି ନିୟମ କେବଳ କଟକ ପାଇଁ ନାହିଁ, ନିୟମ ସାରା ଓଡ଼ିଶା ପାଇଁ ହୋଇଛି । 

ତେଣୁ ନିୟମ ପରିବର୍ତ୍ତନ ହେଲେ ପୂରା ଓଡ଼ିଶା ପାଇଁ ନିୟମ ପରିବର୍ତ୍ତନ କରିବାକୁ ପଡିବ । ରାଜ୍ୟର କୋଭିଡ ସ୍ଥିତିକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ପକ୍ଷ ରଖୁଥିବା ଓକିଲ ଯୁକ୍ତି ବାଢିଥିଲେ । ଦୁଇପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମୂତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଛନ୍ତି । ଆଉ ଏହାସହ ମୂର୍ତ୍ତି ଉଚ୍ଚତା ସେହି ୪ ଫୁଟରେ ରହିବ ବୋଲି ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ମୂର୍ତ୍ତି ବିବାଦ ନେଇ ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ପୂର୍ବରୁ ବୈଠକ ହୋଇଥିଲା । କିନ୍ତୁ ବିବାଦର କୌଣସି ସମାଧାନ ହୋଇ ପାରିନଥିଲା । ପୂଜା କମିଟି ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବା ନିଜ ଜିଦରେ ଅଡି ରହିଥିବା ବେଳେ ସରକାର କିନ୍ତୁ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇନଥିଲା । କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖାଯାଇ ପାରିବ ବୋଲି ଗାଇଡଲାଇନ୍ ଜାରି କରାଯାଇଥିଲା । ପ୍ରଶାସନର ଏହି ନିଷ୍ପତ୍ତିକୁ କଟକର ଶାନ୍ତି କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । 

କିନ୍ତୁ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ନଥିଲେ। ଏସଆରସିଙ୍କ ପାର୍ବଣ ଗାଇଡଲାଇନ ଅନୁଯାୟୀ,  ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବ ଏବଂ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ । ବର୍ଷାରେ ଓଦା ହୋଇ ମୂର୍ତ୍ତି କଟକଣାକୁ ହଟାଇବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ସମସ୍ୟାର ସମାଧାନ ନହେବାରୁ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କମିଟି ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। 

ମୂର୍ତ୍ତି ବିବାଦକୁ ନେଇ ରାଜନୀତି :-

ମୂର୍ତ୍ତି ବିବାଦ ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ମଧ୍ୟ ଜୋର ଧରିଥିଲା । କଟକ ସାଂସଦ ଭର୍ତ୍ତୁହରି ମହତାବ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖାଯିବା ନେଇ ସରକାରଙ୍କ ଗାଇଡଲାଇନକୁ କଟାକ୍ଷ କରି କହିଥିଲେ କଣ ୪ ଫୁଟ୍ ରଖିଦେଲେ କରୋନା ଡରିଯିବ ? ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ଫୁଟ୍ କି ଅଢେଇ ଫୁଟ୍ ବୃଦ୍ଧି କରିଥିଲେ କଣ କରୋନା ବଢି ଯାଇଥାନ୍ତା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କର ଏହି ଟିପ୍ପଣୀକୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ବିରୋଧ କରିଥିଲେ। ଶେଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ମାମଲାରେ ମୁଣ୍ଡ ପୁରାଇ ଥିଲେ। ସେ କହିଥିଲେ ଯେ, ଐତିହାସିକ ଏବଂ ପରମ୍ପରାରର ସହର କଟକବାସୀଙ୍କ ଭାବ ବେଗକୁ ଦୃଷ୍ଟିରେ ରଖି ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ଉଚିତ। କିନ୍ତୁ ଏସବୁ ମଧ୍ୟରେ କୋର୍ଟଙ୍କ ନିଷ୍ପତ୍ତି ପରେ ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗିରହିଥିବା ନ୍ୟାୟିକ ଲଢେଇରେ ପୂର୍ଣ୍ଣଚ୍ଛେଦ ପଡିଛି।

Related Posts