ସଙ୍କଟରେ ଶ୍ରୀଲଙ୍କା: ଗ୍ୟାସ ଯୋଗାଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

କଲମ୍ବୋ: ଘୋର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ପ୍ରତିବାଦର ସ୍ୱର ଉଗ୍ର ରୂପ ଧାରଣ କରିଛି । ରାଜନୈତିକ ସଂକଟ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ, ରାଷ୍ଟ୍ରପତି ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ । ବିକ୍ଷୋଭ କାରୀଙ୍କ ଭୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ କେଉଁଠାରେ ରହୁଛନ୍ତି, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ | କିନ୍ତୁ ସେ ଏବେ ଆକ୍ସନ ମୁଡ଼ରେ ଆସିଛନ୍ତି ଆଉ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି |

ଦେଶରେ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ୩୭୦୦ ମେଟ୍ରିକ୍ ଟନ୍ ଏଲପିଜି ମିଳିଛି, ଯାହା ପରେ ଗୋଟାବାୟା ଏଲପିଜିର ସୁଗମ ବଣ୍ଟନକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାରେ ନିକଟ ଅତୀତରେ ଲୋକମାନେ ଦେଶରେ ତୀବ୍ର ଗ୍ୟାସ ଅଭାବ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ | ଆଉ ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଏହି ନିର୍ଦ୍ଦେଶ ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ଗ୍ୟାସ ପରିବହନ କରୁଥିବା ପ୍ରଥମ ଜାହାଜ ରବିବାର ଦିନ କେରୱାଲପିଟିଆରେ ପହଞ୍ଚିବା ପରେ ଗ୍ୟାସ ଅନଲୋଡିଂ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ରାଷ୍ଟ୍ରପତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ, ୩୭୪୦ ମେଟ୍ରିକ୍ ଟନ୍ ଗ୍ୟାସ୍ ପରିବହନ କରୁଥିବା ଦ୍ୱିତୀୟ ଜାହାଜ ୧୧ ଜୁଲାଇରେ ଏବଂ ୩୨୦୦ ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସ ଆଣି ଆସୁଥିବା ଜାହାଜ ୧୫ ଜୁଲାଇରେ ପହଞ୍ଚିବ | ତେବେ ରାଷ୍ଟ୍ରପତି କେଉଁଠାରୁ ବୈଠକ କରି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ତାହା ପ୍ରକାଶ କରାଯାଇ ନାହିଁ।

ସୂଚନା ଥାଉ କି ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନରେ ଧସେଇ ପଶିଥିଲେ । ସୁରକ୍ଷା କର୍ମୀମାନେ ଫାଙ୍କା ଗୁଳିଚାଳନା କରିବା ସହ ଲୁହବୁହା ଗ୍ୟାସ୍‌ ମାଡ଼ କରିଥିଲେ। ତଥାପି ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇନଥିଲା ଏବଂ ୧୦ ହଜାରରୁ ଅଧିକ ଲୋକ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରି ଯାଇଥିଲେ ଏବଂ ସମଗ୍ର ଭବନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।

Related Posts