ଶ୍ରୀଲଙ୍କା ସ୍ଥିତି ଭୟଙ୍କର: ଇସ୍ତଫା ଦେଲେ କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଂକଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ବଢିବାକୁ ଲାଗିଛି । ଯେପରି ଶ୍ରୀଲଙ୍କା ଉପରେ କଳା ବାଦଲ ଏବେ ଘୋଡେଇ ହୋଇଯାଇଛି | ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେଇଛି ପୂରା ମନ୍ତ୍ରିମଣ୍ଡଳ। ସବୁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମହିନ୍ଦା ରଜପାକ୍ଷେଙ୍କୁ ନିଜ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୁଅ ନମଲ ରାଜପାକ୍ଷେ ମଧ୍ୟ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କା କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ତଥା ଗୃହର ନେତା ଦିନେଶ ଗୁଣବର୍ଦ୍ଧେନା କହିଛନ୍ତି, କ୍ୟାବିନେଟନ୍‌ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ଦେଇ ଦେଇଛନ୍ତି।

କିନ୍ତୁ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଯାହା ପ୍ରଘଟ ହେଉଛି, ତାହା ଗୁଜବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି।

ଦେଶରେ ଉପୁଜି ଥିବା ଉତ୍କଟ ଆର୍ଥିକ ସଙ୍କଟ ବାତାବରଣରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କୁ ଭେଟିଥିଲେ। ତେଣୁ, ସେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଗୁଜବ ଉଠିଥିଲା।

ପ୍ରଧାନମନ୍ତ୍ରୀ ଓ ରା‌ଷ୍ଟ୍ରପତିଙ୍କ ଆଲୋଚନା ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରାଯାଇଥିବ ବୋଲି ମନେକରାଯାଉଛି। ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଳ ବୀରବଂଶା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦେଶର ସାମ୍ପ୍ରତିକ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ସର୍ବଦଳୀୟ କାମଚଳା ସରକାର ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି।

ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ଏବଂ ଅନ୍ୟ ଦେଶମାନଙ୍କ ମୁଦ୍ରା ତୁଳନାରେ ଶ୍ରୀଲଙ୍କୀୟ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାରେ ମୌଳିକ ସାମଗ୍ରୀଗୁଡ଼ିକର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ଇନ୍ଧନ, ଆହାର ଓ ଔଷଧ ପାଇଁ ଦ୍ବୀପଦେଶ ଶ୍ରୀଲଙ୍କାରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିବାନ୍ଧି ଠିଆ ହୋଇ ମଧ୍ୟ ଖାଲି ହାତରେ ଫେରୁଛନ୍ତି। ଏହାର କାରଣ ହେଉଛି, ଦୋକାନରୁ ସାମଗ୍ରୀ ଶେଷ ହୋଇଯିବା ନଚେତ ଲୋକମାନଙ୍କ ପାଖରେ ଟଙ୍କାପଇସା ନିଅଣ୍ଟ ହେବା |

ଶେଷଟେ ଶ୍ରୀଲଙ୍କାରେ ଲାଗିଥିବା ୩୬ ଘଣ୍ଟିଆ କର୍ଫ୍ୟୁ ସକାଳ ୬ଟା ରେ ଶେଷ ହୋଇଛି । ସୋସିଆଲ ମିଡିଆକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଶ୍ରୀଲଙ୍କବାସୀ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ସୋସିଆଲ ମିଡିଆ ଦ୍ବାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ଟିକ୍ଟକ୍କୁ ବ୍ୟାନ କରି ଦିଆଯାଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ।

Related Posts