ଶ୍ରୀକାନ୍ତଙ୍କ ସତ୍ୟାଗ୍ରହକୁ ସମ୍ଭାଳି ପାରିଲେନି ସରକାର; ରାତାରାତି ଉଠେଇ ଆଣିଲେ କଟକ ବଡ଼ ମେଡିକାଲ, ବେଡ ନପାଇ ରାତିତମାମ ଗଛମୂଳେ ପଡ଼ିରହିଲେ

srikant

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିନକୁ ଦିନ ଖରସ୍ରୋତା ବିବାଦ ବଢିବାରେ ଲାଗିଛି । ଏପରିସ୍ଥତିରେ ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ଧରି ଆମରଣ ଅନସନ କରୁଥିବା ସମାଜସେବୀ ଶ୍ରୀକାନ୍ତ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଏନେଇ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରାଯାଇଥିଲା । କିନ୍ତୁ ଗତକାଲି ତାଙ୍କୁ ରାତାରାତି ମଧ୍ୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହେଲେ ବିଡମ୍ବନାର ବିଷୟ ଯେ ବଡମେଡିକାଲରେ ବେଡ ଅଭାବ ହେତୁ ଏପରି ଏକ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଶ୍ରୀକାନ୍ତ ରାତିତମାମ ଗଛର ଆଶ୍ରୟ ନେଇଥିଲେ । ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ଧରି ଶ୍ରୀକାନ୍ତ ଆମରଣ କରିଆସୁଛନ୍ତି । କିନ୍ତୁ ପ୍ରଶାସନ ଏ ସବୁକୁ କେଉଁଠି ନା କେଉଁଠି ଅଣଦେଖା କରିଆସୁଥିଲା । ହେଲେ ହଠାତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ବଢିଥିଲା ।

ଏପରିକି ଶ୍ରୀକାନ୍ତଙ୍କର ଉତ୍ତମ ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ସିଧାସଳଖ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ବିଡମ୍ବନାର ବିଷୟ ଯେ ଶ୍ରୀକାନ୍ତ କଟକ ପହଁଞ୍ଚିବା ପରେ ତାଙ୍କୁ ଏକ ବେଡ ମଧ୍ୟ ଉପଲବ୍ଧୀ କରାଇପାରିନଥିଲା ପ୍ରଶାସନ । ଯଦି ଉତ୍ତମ ଚିକିତ୍ସା ପାଇଁ ରାତାରାତି ଭିତରେ ବଡ ମେଡିକାଲକୁ ପ୍ରଶାସନ ସ୍ଥାନାନ୍ତର ବ୍ୟବସ୍ଥା କରିପାରୁଛି ତାହାଲେ କାହିିଁକି ଶ୍ରୀକାନ୍ତଙ୍କ ପାଇଁ ଏକ ବେଡର ବ୍ୟବସ୍ଥା କରିପାରିଲା ନାହିଁ । ୧୬ଦିନର ଆମରଣ ଅନସନ ପରେ ଶେଷରେ ରାତିତମାମ ଏକ ଗଛର ଆଶ୍ରୟ ନେଇଥିଲେ ଶ୍ରୀକାନ୍ତ । ଏଇଟି ପ୍ରଶ୍ନ ଉଠୁଛି ଯଦି ପ୍ରଶାସନର ଶ୍ରୀକାନ୍ତଙ୍କ ପ୍ରତି ଏତେ ଚିନ୍ତା ଥିଲା ତାହାଲେ ବଡମେଡିକାଲରେ କାହିଁକି ଏକ ବେଡର ବ୍ୟବସ୍ଥା ହୋଇନଥିଲା । ନା ଆନ୍ଦୋଳନକୁ ଡାଇଭଟ କରିବା ପାଇଁ ପ୍ରଶାସନର ଏହା ଏକ ଚାଲ ନୁହେଁ ତ! । ଏହା ଛଡା ତୀବ୍ର ଆନ୍ଦୋଳନ ଭୟରେ ପ୍ରଶାସନ ଏପରି କରି ନାହିଁ ତ! ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି । ରାତିତମାମ ଗଛମୂଳେ ରହିବା ପରେ ଶ୍ରୀକାନ୍ତଙ୍କୁ ଦିନ ୧୧ ଟାରେ ବେଡ ମିଳିଥିବାର ସୂଚନା ମିଳିଛି । ଅପରିପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭେଷଜ ବିଭାଗର ୧୦୭ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଥିଲେ ଶ୍ରୀକାନ୍ତ ନାୟକ। ତାଙ୍କ ଅବସ୍ଥା ଗୁରୁତର ନଥାଇ ମଧ୍ୟ କିଛି ପୁଲିସ କର୍ମୀ ପହଞ୍ଚି ଏକ ରେଫରାଲ କାଗଜ ଦେଖାଇ ଶ୍ରୀକାନ୍ତଙ୍କୁ କଟକ ସ୍ଥାନନ୍ତର କରାଯିବ ବୋଲି କହିଥିଲେ ।

ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଜୋରଜବରଦସ୍ତି ପୁଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଡକାଇ ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀକାନ୍ତଙ୍କୁ କଟକ ପଠାଇଥିଲେ । କଟକ ବଡମେଡିକାଲ ପହଞ୍ଚିବା ପରେ ଭେଷଜ ବିଭାଗରେ ବେଡ ମିଳିନଥିଲା । ଯାହାଫଳରେ ଶ୍ରୀକାନ୍ତ ଗଛମୂଳେ ପଡିରହିଥିଲେ । ଅପରିପକ୍ଷେ କେନ୍ଦ୍ରପଡା ପ୍ରଶାସନଙ୍କ ଏପରି ଆଚରଣକୁ ସହଜରେ ହଜମ କରିପାରି ନାହାଁନ୍ତି ଅଞ୍ଚଳବାସୀ । ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିବା ସହ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଶ୍ରୀକାନ୍ତ କହିଛନ୍ତି, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ହଠାତ୍ ପୁଲିସ୍ ପହଞ୍ଚି ଜବରଦସ୍ତି କଟକ ନେଇ ଆସିଲେ। ପରିବାର ଲୋକଙ୍କୁ ବି ଖବର ଦେବାକୁ ସୁଯୋଗ ଦେଲେନି। ଏଠାରେ କୋଭିଡ ଟେଷ୍ଟ ପରେ ମେଡିସିନ ୱାର୍ଡକୁ ନେଲେ। ମାତ୍ର ସେଠାରେ ବିକଳ ଚିତ୍ର ଦେଖି ମୁଁ ଅଣନିଶ୍ୱାସି ହୋଇଗଲି। ସେଠାରେ ତଳେ ରୋଗୀ ପଡ଼ି ରହିଥିବା ବେଳେ କିପରି ଚିକିତ୍ସିତ ହେବି। ଘଣ୍ଟେ ପରେ କହିଲେ, ଗୋଟିଏ ବେଡ ଫାଙ୍କା କରିଦେବୁ ।

ମାତ୍ର ମୁଁ ଗଛ ମୂଳକୁ ଚାଲି ଆସିଲି। ଅନଶନ ଏବେ ବି ଜାରି ରହିଛି। ଭିତରକନିକାକୁ ନ୍ୟାୟ ନ ଦେବାକୁ ଚାଲିଥିବା ଯୋଜନାକୁ ପୂର୍ଣ୍ଣ ହେବାକୁ ଦିଆଯିବନି। ଏହା ସହ ଏସ୍‌ସିବିର ମେଡିସିନ ୱାର୍ଡରେ ବେଡ ନ ଥିବାରୁ ଜଣେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଶ୍ରୀକାନ୍ତଙ୍କୁ ସେଠାକୁ ନିଆଯିବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀକାନ୍ତ ଏହାକୁ ସିଧାସଳଖ ମନା କରି ଗଛ ମୂଳକୁ ଚାଲି ଆସି ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି। ଭିତରକନିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଶ୍ରୀକାନ୍ତ କହିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଯେ ପ୍ରଶାସନ ବାସ୍ତବରେ ଶ୍ରୀକାନ୍ତଙ୍କ ଚିକିତ୍ସା ପାଇଁ ଚିନ୍ତା କରୁଛି ନାଁ ଆନ୍ଦୋଳନ ତୀବ୍ର ହେବା ଭୟରେ ଏପରି କରୁଛି ।

Related Posts