ସୈନ୍ୟମାନଙ୍କୁ ଜଣାନାହିଁ ମହିଳାଙ୍କ ସହ କିଭଳି ବ୍ୟବହାର କରାଯିବ, ଟ୍ରେନିଂ ପର୍ଯ୍ୟନ୍ତ ଘର ଭିତରେ ରହିବାକୁ ପରାମର୍ଶ ଦେଲା ତାଲିବାନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ତାଲିବାନ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ତାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରୁ ନାହିଁ। ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ପ୍ରବକ୍ତା କହିଥିଲେ ଯେ ଶାରିଆ ଆଇନ ଅନୁସାରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାର ମିଳିବ। 

କିନ୍ତୁ ବର୍ତ୍ତମାନ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ତାଲିବାନ୍ ସୈନିକମାନେ ମହିଳା ମାନଙ୍କୁ କିଭଳି ସମ୍ମାନ ଦେବେ ସେ ନେଇ ତାଲିମ୍‌ ପାଇ ନ ଥିବାରୁ ମହିଳା ମାନେ ଏବେ ମାନେ ଘର ଭିତରେ ରୁହନ୍ତୁ । ତେବେ ଏହି ପଦକ୍ଷେପକୁ କ୍ଷଣସ୍ଥାୟୀ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ମହିଳା ମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟାରତ ମହିଳା ମାନେ ଘରେ ରୁହନ୍ତୁ। 

ରାଜଧାନୀ କାବୁଲ୍‌ରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା ଜାରି ରଖିଛି। କିନ୍ତୁ ବର୍ତ୍ତମାନ ପାଇଁ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ। ମହିଳାଙ୍କ ସହ କିପରି ମୁକାବିଲା କରାଯିବ କିମ୍ବା ସେମାନଙ୍କ ସହ କିପରି କଥାବାର୍ତ୍ତା କରାଯିବ ସେନେଇ ତାଲିବାନ ସୈନ୍ୟ ମାନେ ତାଲିମପ୍ରାପ୍ତ ନୁହେଁ ବୋଲି ସେ କହିଛନ୍ତି। 

ସୂଚନା ଥାଉକି ପୂର୍ବରୁ ଯେତେବେଳ ଆଫଗାନିସ୍ତାନରେ ତାଲିବାନ ଶାସନ ଥିଲା ସେତେବେଳେ ନାରୀ ସ୍ବାଧୀନତା ଉପରେ କଟକଣା ଲାଗୁଥିଲା। ତେବେ ତାଲିବାନ ଏଥର ଆଶ୍ବସ୍ତ କରିଛି ଯେ ମହିଳା ମାନେ ଚାକିରି କରିପାରିବେ, ଝିଅମାନଙ୍କୁ ପାଠପଢିବା ପାଇଁ ଅନୁମତି ଦିଆଯିବ ଏବଂ ଶାରିଆ ଆଇନ ଅନୁସାରେ, ନାରୀମାନଙ୍କୁ ଅଧିକାର ଦିଆଯିବ ବୋଲି ତାଲିବାନ୍ ଘୋଷଣା କରିଥିଲା । ତଥାପି ବି ଆଫଗାନିସ୍ତାନର ମହିଳା ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। 

Related Posts