ଓଏସ୍ଏସସି ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ୭ରେ ପ୍ରଦେଶ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର  ୭ ତାରିଖରେ ବିଧାନସଭା ଘେରାଉ କରିବ ପ୍ରଦେଶ ଛାତ୍ର କଂଗ୍ରେସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ନୱାଜ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଷ୍ଟାଫସିଲେକ୍ସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିଷ୍କାର ଦାବିରେ ସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବ। ପ୍ରଦେଶ ଛାତ୍ର କଂଗ୍ରେସ ଷ୍ଟାଫ ସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଭୁବନେଶ୍ୱର ସ୍ଥିତ ଷ୍ଟାଫସିଲେକ୍ସନ କମିଶନ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଭିନ୍ନ ଜିଲ୍ଳାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିସାରିଛି।

ନବୀନ ସରକାର ୨୧ ବର୍ଷ ଧରି ଏ ରାଜ୍ୟର ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି। ଷ୍ଟାଫସିଲେକ୍ସନ ଦୁର୍ନୀତିରେ ଜଣେ ସାଧାରଣ କିରାଣୀକୁ ବହିଷ୍କାର କରି ଏବଂ ତାର ସମ୍ପତିର ଭିଜିଲାନ୍ସ ତଦନ୍ତ କରାଇ ସରକାର ସ୍ୱଚ୍ଛତାର ଦିଣ୍ଡିମ ପିଟୁଛନ୍ତି। ଏ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅପଚେଷ୍ଟା କରୁଛନ୍ତି। ଏ ମହାଦୁର୍ନୀତି କ’ଣ ଜଣେ କିରାଣୀ ଦ୍ୱାରା ସମ୍ଭବ କି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଶ୍ନ କରିଛନ୍ତି ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟାଫସିଲେକସନ କମିଶନ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନସ୍ଥ। ଏଣୁ ଏହାକୁ ଚପାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି। ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଏବଂ ସଭ୍ୟମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ୨୧ ବର୍ଷ ଭିତରେ ନବୀନ ସରକାର ୯୦ ପ୍ରତିଶତ ଚାକିରୀ ବିକ୍ରି କରିଦେଇଛନ୍ତି। କହିଥିଲେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ମାତ୍ର ଚାକିରୀ ଦେବାତ ଦୂରର କଥା ସରକାରୀ ଚାକିରୀ ହାଟରେ ଟେଣ୍ଡର ହେଉଛି। ଛାତ୍ରଛାତ୍ରୀ ବହୁ ପରିଶ୍ରମ କରି, ଅର୍ଥବ୍ୟୟ କରି ପାଠପଢ଼ୁଛନ୍ତି ଚାକିରୀ କରିବା ଆଶାରେ ମାତ୍ର ପରୀକ୍ଷା ପୂର୍ବରୁ ନବୀନ ସରକାର ଚାକିରୀ ବିକିଦେବା । ଏ ରାଜ୍ୟର ଛାତ୍ର ସମାଜ ପ୍ରତି ପ୍ରତାରଣା ଏବଂ ବେଇମାନୀ। ଷ୍ଟାଫସିଲେକସନ ଅଧ୍ୟକ୍ଷ ଏବଂ ସମସ୍ତ ସଭ୍ୟଙ୍କୁ ତଦନ୍ତ ପରିସରକୁ ଆଣିବା ସହ ୨୧ ବର୍ଷ ଭିତରେ ଯେଉଁମାନେ ଦାୟୀତ୍ୱରେ ଥିଲେ ସେମାନଙ୍କର ବି ତଦନ୍ତ କରାଯାଉ। ଆଉ ନବୀନ ସରକାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଅପହରଣ ନକରନ୍ତୁ। ସରକାରୀ ଚାକିରୀ ନିଲାମ ନିଲାମ ନକରନ୍ତୁ। ଚାକିରୀର ପରୀକ୍ଷାର୍ଥୀମାନଙ୍କୁ ନ୍ୟାୟ ମିଳୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଭାଗର ଦୁର୍ନୀତିକୁ ସ୍ୱୀକାର କରନ୍ତୁ।

ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଜି ବିପର୍ଯ୍ୟସ୍ତ। ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଆଇନ ମନ୍ତ୍ରୀ ଏବଂ ମାହାଙ୍ଗା ବିଧାୟକଙ୍କ ଅପରାଧକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି। ରାଜନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏଫଆଇଆରରେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ନେଇ ତାଙ୍କ ନାମ ଲେଖିଥିଲେ। ମାତ୍ର ଅଭିଯୋଗ ହେଉଛି ମାହାଙ୍ଗା ଥାନା ତୃତୀୟ ମହଲାର ନିର୍ଦ୍ଦେଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଚାର୍ଜସିଟରୁ ବାଦ ଦେଇଛନ୍ତି। ମାନ୍ୟବର ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଏବଂ ରମାକାନ୍ତ ବରାଳଙ୍କ ଆବେଦନକୁ ବିଚାରକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଉ ଘଣ୍ଟ ଘୋଡ଼ାନ୍ତୁ ନାହିଁ। ପୁଲିସକୁ ପ୍ରମାଣ ଲୁଚାଇବା ପାଇଁ ଚାପ ପ୍ରୟୋଗ କରନ୍ତୁ ନାହିଁ। ପ୍ରଦେଶ ଛାତ୍ର କଂଗ୍ରେସ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଏବଂ ଗିରଫ ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ବାବୁ ଜେନା, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଭାଗ୍ୟଶ୍ରୀ ମହାନ୍ତି, କାର୍ତିକ କାଣ୍ଡି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Related Posts