
ଭୁବନେଶ୍ୱର(ସତ୍ୟପାଠ ବୁରୋ): ରାଜ୍ୟରେ ମାଣ ମାଣ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିବାର ହିଁ ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ । ହେଲେ ଅନେକ ସ୍ଥାନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଜନସାଧାରଣ ପାଖକୁ ପାଣି ପହଞ୍ଚିପାରୁ ନାହିଁ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁର, ରାଉତରାପୁର ଅର୍ଥଙ୍ଗା, ବ୍ରହ୍ମବରଦା, ମହେଶ୍ବରପୁର, ବନ୍ଧଡିହ, ଝାଲପଡ଼ା ପଞ୍ଚାୟତରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଛିଡ଼ାହୋଇଛି। ହେଲେ କୌଣସିଟି ଲୋକଙ୍କୁ ପାଣି ଯୋଗାଇବାରେ ସଫଳ ହୋଇନାହିଁ। ସେପଟେ ମଙ୍ଗରାଜପୁର ପଞ୍ଚାୟତ ବାଲିଗୁଡ଼ା ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ଗୋଟିଏ ଆରମ୍ଭରୁ ଖରାପ। ଅନ୍ୟଟି ୩ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ବାଲିଗୁଡା ଓ ଲଙ୍କାବାଲିସାହି ଗ୍ରାମର ୪ ଟି ୱାର୍ଡର ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଇବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ୩ ବର୍ଷ ହେଲା ଏଠି ପାଇପ ପୋତା କାର୍ୟ୍ୟ ଚାଲୁ ରହିଛି ଯେ ସରୁନାହିଁ। ଏପଟେ ପାଇପ୍ଗୁଡ଼ିକ ଏଠିସେଠି ପଡ଼ି ନଷ୍ଟ ହେଉଛି।
ସେହିପରି ବ୍ରହ୍ମବରଦା, ମହେଶ୍ବରପୁର ଦୁଇଟି ପଞ୍ଚାୟତ ପାଇଁ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ବ୍ରହ୍ମବରଦା ବଉଳାଘାଇ ଦାଣ୍ତିରେ ନିର୍ମାଣ ହୋଇଥିଲା। ୧୫ ହଜାର ଲୋକ ଏହି ପ୍ରକଳ୍ପ ଉପରେ ଭରସା କରିଥିଲେ। ଏହା ସମସ୍ତଙ୍କୁ ପାଣି ଯୋଗାଇ ପାରୁ ନଥିବା ଅଭିଯୋଗ ହୋଇଛି। ପାଇପ୍ ସଂଯୋଗ ହୋଇଥିବା ଅଞ୍ଚଳରେ କିଛି କିଛି ସ୍ଥାନରେ ଫାଟିଯାଇଛି। ଏହାକୁ ମରାମତି କରାଯାଉ ନାହିଁ। ଅନ୍ୟ କେତେକ ସ୍ଥାନକୁ ଆଜିଯାଏ ପାଇପ୍ ସଂଯୋଗ ଦିଆଯାଇନାହିଁ।ବନ୍ଧଡିହ ପଞ୍ଚାୟତ ଭଗବତୀପୁରଠାରେ ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ପାନୀୟ ଜଳ ଯୋଗାଇ ପାରିନାହିଁ। ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ଗତ ଦୁଇବର୍ଷ ହେଲା ଆଉଏକ ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ତାହା ଆଜି ପର୍ୟ୍ୟନ୍ତ କାର୍ୟ୍ୟରେ ଲାଗିପାରୁ ନାହିଁ। ଘରୋଇ ନଳକୂଅରୁ ଭଲ ପାଣି ବାହାରୁ ନଥିବାରୁ ଲୋକେ ଲୌହମିଶା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସରକାର ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରିଥିଲେ ମଧ୍ୟ ତାହା ଗୋଟିଏଦିନ ପାଣି ଯୋଗାଇବାରେ ସଫଳ ହୋଇ ପାରିଲା ନାହିଁ। ସେହିପରି ଅର୍ଥଙ୍ଗା ପଞ୍ଚାୟତ ଚଅପୋଇ ମେଳଣ ପଡ଼ିଆରେ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ସ୍ବଚ୍ଛ ପାଣି ଯୋଗାଇବାରେ ବିଫଳ ହୋଇଛି। ରାଉତରାପୁର ପଞ୍ଚାୟତର କୁଣ୍ତପାଟଣା ହାଟ ନିକଟରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅବସ୍ଥା ମଧ୍ୟ ଅନୁରୂପ। ଗ୍ରାମବାସୀ ଏହାର ମରାମତି ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ। ସରକାରଙ୍କ ପକ୍ଷରୁ ୨୦୧୨ ରେ ଏହାର ନିର୍ମାଣ କରାଯାଇଥିଲା। ଉଦ୍ଘାଟନ ପୂର୍ବରୁ ଏହା ଖରାପ ହୋଇଗଲା। ଅନ୍ୟଏକ ପ୍ରକଳ୍ପ କାଳିକାହୁଡ଼ା ଗ୍ରାମରେ ୩ ବର୍ଷ ହେଲା ନିର୍ମାଣ ଚାଲିଛି। କେବେ ସରିବ ତାହା ପ୍ରଶ୍ନବାଚୀ ହୋଇ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।