୨୦୨୪ ନିର୍ବାଚନ ପାଇଁ ୨ ସୂତ୍ରୀ ଫର୍ମୁଲାରେ କାମ କରିବ ରାଜ୍ୟ ବିଜେପି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ଏବେଠୁ ପାଗଭିଡ଼ା ଆରମ୍ଭ ହେଲାଣି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କଲେଣି। ତେବେ ଆଜି ଓଡିଶା ଗସ୍ତ ଅବସରରେ ଆଗାମୀ ନିର୍ବାଚନ ପାଇଁ ବିଜେପିର ରଣନୀତି କଣ ରହିବ? ଏନେଇ ୨ ସୂତ୍ରୀ ଫର୍ମୁଲା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ବିଜେଡିକୁ ଓଡ଼ିଶାରେ କିଭଳି ମୁକାବିଲା କରାଯିବ ଓ ବିଜେପି କେଉଁ ଦିଗକୁ ଅଧିକ ଫୋକସ ଦେବ ସେନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର ।ଦଳର ଏଜେଣ୍ଡାରେ ଥିବା ୨ ସୂତ୍ରୀ ଫର୍ମୁଲାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୨୩ ବିଜେପି ପାଇଁ ଏବଂ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆଗୁଆ ନିର୍ବାଚନ କଥା ବି ଶୁଣିବାକୁ ମିଳୁଛି । ନିର୍ବାଚନ ଯେବେ ହେଉ ଗୋଟେ ଦାୟିତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଦଳ ହିସାବରେ ବିଜେପିର ଦୁଇଟି କାମ ଅଛି । ପ୍ରଥମତଃ ସ୍ଥାନୀୟ ସରକାର ବିରୁଦ୍ଧରେ ଯେଉ ଅବ୍ୟବସ୍ଥାର ଅସନ୍ତୋଷର ବାତାବରଣ ଅଛି ତାର ସ୍ୱର ସାଜିବ ବିଜେପି । ସେହିଭଳି ଗରିବ, ପଛୁଆ ଅନୁସୂଚିତ ଜାତି ଜନଜାତି ମହିଳା, ଯୁବକଙ୍କ ରୋଜଗାର ପାଇଁ ପ୍ରତିନିଧିତ୍ବ କରିବ ଦଳ । ଦ୍ଵିତୀୟରେ ସୁଦୃଢ ସଂଗଠନର ଆବଶ୍ୟକତା ଅଛି । ଓଡିଶାରେ ୩୭ହାଜର ବୁଥରେ ସଂଗଠନକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆହୁରି ମଜବୁତ କରିବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ନବୀନ ସରକାର କିଏ ଚଳାଉଛି ବୋଲି ଯେଉଁ ପ୍ରଶ୍ନ ବାଣ ମାରିଥିଲେ ତାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରବାସ ମାଧ୍ୟମରେ ଲୋକଙ୍କ ପାଖରେ ଏହା ପହଞ୍ଚାଯିବ ।

ଏହାବାଦ୍ ଧର୍ମେନ୍ଦ୍ର କହିଛନ୍ତି, ଆଗକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର କେବଳ ଲୋକସଭା ଆସନ ଉପରେ ନୁହେଁ ବରଂ ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ବିକାଶ ଉପରେ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Related Posts