ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘଦିନ ଦିନର ନିରବତା ପରେ ରବିବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା। ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି। ଆଦିବାସୀଙ୍କ ପାଇଁ ରାଜ୍ୟ ସରକାର କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। କେବଳ ଭୋଟ୍ ହାତେଇବା ପାଇଁ ନାଟକବାଜି ଚାଲିଛି ବୋଲି ଶ୍ରୀ ହାଁସଦା କହିଛନ୍ତି।ଜିଲ୍ଲାରେ ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ୧୩ଟି ଜିଲ୍ଲାରେ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ୨୦୧୭ ମସିହାରେ କେବଳ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଗଲା। ଅବଶିଷ୍ଟ ୪ଟି ଜିଲ୍ଲାକୁ ଏଥିରୁ ବାଦ୍ ଦିଆଗଲା। ପରିଷଦର ଅଧ୍ୟକ୍ଷ ଭାବେ ଦଳୀୟ ନେତାଙ୍କୁ ଥଇଥାନ ଭିତ୍ତିରେ ନିଯୁକ୍ତି ଦେଲେ ସରକାର। ସେପଟେ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା କୋଟି କୋଟ ଟଙ୍କା ଲୁଟ୍ ହେଲା ଏହାକୁ ଦେଖି ସରକାର ଆଖି ବୁଜିଦେଲେ। ଦଳ ପ୍ରତି ଆନୁଗତ୍ୟ ରଖିଥିବା ଠିକାଦାରଙ୍କୁ ବିନା ଟେଣ୍ଡର ଓ ଅନୁମୋଦନରେ କାମ ଦିଆଗଲା। ସମସ୍ତେ ମିଳିମିଶି ଭାଗକରି ଆଦିବାସୀଙ୍କ ଟଙ୍କା ଖାଇଗଲେ ବୋଲି ଶ୍ରୀ ହାଁସଦା କହିଛନ୍ତି।
୨୦୧୯ ନିର୍ବାଚନ ପରେ ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଅକାମୀ କରି ଦେଲେ। ଆଉ ଏବେ ୨୦୨୪ ନିର୍ବାଚନ ପାଖେଇ ଆସିବା ବେଳକୁ ଭୋଟ୍ ହାତେଇବା ପାଇଁ ପୁଣି ସରକାରଙ୍କ ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶ କଥା ମନେ ପଡ଼ିଛି ଓ ପରିଷଦର ଅଧ୍ୟକ୍ଷ ପଦରେ ନେତାମାନଙ୍କୁ ଥଇଥାନ କରାଯାଇଛି ବୋଲି ସେ କହିଛନ୍ତି। ଗତ ୨ ବର୍ଷରେ ମୟୂରଭଞ୍ଜ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଆସିଥିବା ୭୮ କୋଟି ଅନୁଦାନରୁ ୫୮ କୋଟି ଖର୍ଚ୍ଚ ହୋଇଛି। ବାକି ୨୦ କୋଟି ଖର୍ଚ୍ଚ ହୋଇ ପାରିନାହିଁ।
ତେବେ ଖର୍ଚ୍ଚ ହୋଇଥିବା ୫୮ କୋଟିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶ୍ରୀ ହାଁସଦା ଅଭିଯୋଗ କରିଛନ୍ତି। ପରିଷଦକୁ ଆସିବାକୁ ଥିବା ଅନୁଦାନ ଗ୍ରାମସଭା ମାଧ୍ୟମରେ ଖର୍ଚ୍ଚ କରାଯାଉ। ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ସଦସ୍ୟଙ୍କ ନାଁରେ ଯୁଗ୍ମ ଖାତା ଖୋଲାଯାଇ ଟଙ୍କା ଜମା ହୋଇ ଖର୍ଚ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି। ଏଭଳି କଲେ ଦୁର୍ନୀତି କିଛି ମାତ୍ରାରେ କମିବ ବୋଲି କହିବା ସହ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହାଁସଦାଙ୍କ ସହିତ ଆଦିବାସୀ ନେତା ଗୋପିନାଥ ବାସ୍କେ ଓ ବରିଷ୍ଠ ସଂଗଠକ ପଦ୍ମଲୋଚନ ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ।
