ବିଜେପିର ମିଶନ ୨୦୨୪; ୨୦୧୯ ନିର୍ବାଚନରେ ହାରିଥିବା ୧୪୪ ଲୋକସଭା ଆସନରେ ୪୦ଟି ରାଲି କରିବେ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ ସେହି ଅଞ୍ଚଳକୁ ଗସ୍ତ କରି ଦଳର ଭୋଟ୍ ବ୍ୟାଙ୍କ ମଜବୁତ କରିବାକୁ ପ୍ରୟାସ କରିଛି ଦଳ । ହାରିଥିବା ୧୪୪ ଲୋକସଭା ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ କ୍ଲଷ୍ଟରରେ ଗୋଟିଏ ରାଲି କରିବାର ସମ୍ଭାବନା ରହିଛି।

ଦଳୀୟ ସୂତ୍ର ଅନୁଯାୟୀ, ଲୋକସଭା ଯୋଜନା ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବିଜେପି ଯୋଜନା କରିଛି ଯେ ଦେଶରେ ଦଳର ୧୪୪ଟି ଦୁର୍ବଳ ଲୋକସଭା ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ୪୦ଟି ସ୍ଥାନରେ ବଡ ରାଲି କରିବେ ଅବଶିଷ୍ଟ ୧୦୪ଟି ଆସନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ସାଧାରଣ ସଭା କରିବେ।

ସୂଚନାନୁସାରେ, ଦଳର ରଣନୀତି ହେଉଛି ଯେ ଯେଉଁଠି ରାଲି ହେବ ସେଠାରେ ନେତାମାନେ ରହିବା ସମୟରେ କ୍ଲଷ୍ଟର ଦାୟିତ୍ୱରେ ଥିବା ନେତା ପ୍ରଭାବଶାଳୀ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ନିୟମିତ ବୈଠକ କରିବା ସହିତ ବିଜେପିର ସ୍ଥାନୀୟ ଅସନ୍ତୁଷ୍ଟ ନେତାଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ କରିବେ। ଏହି ଯୋଜନା ଅନ୍ତର୍ଗତ ୪୦ ଜଣ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ୫ ସୂତ୍ରୀ କାମ କରିବେ। ସ୍ଥାନୀୟ ଲୋକଙ୍କ ସହ ମିଶିବା, ଦଳରେ ଥିବା ଅସନ୍ତୁଷ୍ଟ ନେତାଙ୍କୁ ମନାଇବା, ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ କାମରେ ସାମିଲ ହେବା ସହ ରାତିରେ ସ୍ଥାନୀୟ ଲୋକଙ୍କ ଘରେ ରାତ୍ରୀଯାପନ କରିବେ। ଏହା ବ୍ୟତୀତ ସ୍ଥାନୀୟ ପ୍ରଭାବଶାଳୀ ଭୋଟର ବିଶେଷକରି ଆଇନଜୀବୀ, ଡାକ୍ତର, ପ୍ରଫେସର, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ବୃତ୍ତିଗତଙ୍କ ସହିତ ବୈଠକ ମଧ୍ୟ କରିବେ ବୋଲି ସୂଚନା ମିଳିଛି।

Related Posts