ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ଆରଜେଡି ସହ ମିଶି ସରକାର ଗଢି ପାରନ୍ତି ନୀତିଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ବିଧାୟକଙ୍କ ସହ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। କୌଣସି ସମୟରେ ବି ଔପଚାରିକ ରୂପେ ବିଜେପି ଠାରୁ ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଥିଲା।ଏହାରି ଭିତରେ ବିଜେପି ଓ ଜେଡିୟୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି। ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି ସହ ନିଜର ମେଣ୍ଟ ଭଙ୍ଗ କରିଛି। ନୀତୀଶ କୁମାର ଆଜି ଅପରାହ୍ନ ୪ଟା ରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି।

ତେବେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ ଆର୍‌ଜେଡି ସହ ହାତ ମିଶାଇ ପାରନ୍ତି। କଂଗ୍ରେସ ଓ ଆର୍‌ଜେଡି ସହ ମିଶି ନୀତୀଶ ମହା ଗଠବନ୍ଧନ୍ ସରକାର ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡିଛି। ସେପଟେ କଂଗ୍ରେସ ଓ ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି।

ସୂଚନା ଅନୁସାରେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା। କମ୍ ଆସନ ଜିତିଥିଲେ ମଧ୍ୟ ବିଜେପି ତରଫରୁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ ପାଇଥିଲା। ସେପଟେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା। ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା।

Related Posts