
କୋଲକାତା: ପଶ୍ଚିମବଙ୍ଗ କ୍ୟାବିନେଟ୍ ରେ ପାରିତ ହୋଇଛି ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିରତି ମୁଖ୍ୟମନ୍ତ୍ରୀ ରହିବା ନେଇ ପ୍ରସ୍ତାବ । ଏବେ ରାଜ୍ୟପାଳଙ୍କ ବଦଳରେ କୁଳପତି ଦାୟିତ୍ୱରେ ରହିବେ ମୁଖ୍ୟମନ୍ତ୍ରୀ । ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି ।
ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । କୁଳାଧିପତିଙ୍କ ପାଖରେ କୁଳପତି ନିଯୁକ୍ତ କରିବାର କ୍ଷମତା ରହିଛି । ଏଥି ସହିତ ବିଶ୍ୱ ବିଦ୍ୟାଳୟ ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ରାଜ୍ୟପାଳଙ୍କର ରହିଛି । ତେବେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସେହି ଦାୟିତ୍ୱ ନିର୍ବାହ କରିବେ । ରାଜ୍ୟ ସରକାର ରହିଥିବା ପୁରୁଣା ନିୟମକୁ ପରିବର୍ତ୍ତନ କରିବା ପାଇଁ ବିଧାନସଭାରେ ବିଲ୍ ଆଗତ କରିବା ନେଇ ଜଣାପଡ଼ିଛି । ବିଲ୍ ପାସ୍ ହେବା ପୂର୍ବରୁ ରାଜ୍ୟପାଳଙ୍କର ମତାମତ ନିଆଯିବ ବୋଲି କ୍ୟାବିନେଟ୍ରେ ଆଲୋଚନା ହୋଇଛି ।
ତେବେ ଏପରି ପ୍ରସ୍ତାବ ପ୍ରଥମେ ୨୦୧୦ ମସିହାରେ ପୁଞ୍ଚି କମିଶନ ଦେଇଥିଲେ । ଗତବର୍ଷ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟରେ ଏହି ପ୍ରସ୍ତାବ ପୁଣିଥରେ ଉଠିଥିଲା । ପୂର୍ବରୁ ରାଜ୍ୟପାଳଙ୍କୁ ଅଣଦେଖା କରି ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ କୁଳପତି ନିଯୁକ୍ତ କରୁଥିବା ଅଭିଯୋଗ ହୋଇଥିଲା ।
ତାମିଲ୍ନାଡ଼ୁରେ ମଧ୍ୟ ଏପରି ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟପାଳ ଏବଂ ଏମ୍କେ ଷ୍ଟାଲିନ୍ଙ୍କ ଡିଏମ୍କେ ସରକାରଙ୍କ ମଧ୍ୟରେ କନ୍ଦଳ କାରଣରୁ ତାମିଲ୍ନାଡ଼ୁ ୟୁନିଭରସିଟି ଆକ୍ଟ ୨୦୨୨ ଏବଂ ଚେନ୍ନାଇ ୟୁନିଭରସିଟି ଆକ୍ଟ ୨୦୨୩ ସରକାର ବିଧାନସଭାରେ ପାରିତ କିରଥିଲେ । ଏହା ପୂର୍ବରୁ ଗୁଜୁରାଟ ସରକାର ମଧ୍ୟ କୁଳପତି ନିଯୁକ୍ତ କରିବା ପାଇଁ କ୍ଷମତା ହାତକୁ ନେଇଥିବା ଷ୍ଟାଲିନ୍ କହିଥିଲେ ।