( ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ)
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତା୦୧/୦୬; କରୋନା ମହାମାରୀ ମୁକାଵିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସଵୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ଵନ୍ଦ କରି ଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ଵିଶ୍ଵ ଵିଦ୍ଯାଳୟ, ମହାଵିଦ୍ଯାଳୟ ଓ ଵୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ଵି ଗ୍ରାମାଞ୍ଚଳର ୮୦ଭାଗ ଓ ସହରାଞ୍ଚଳର ୩୦ଭାଗ ଛାତ୍ରଛାତ୍ରୀ ଲାପଟପ ଅଥଵା ସ୍ମାର୍ଟ ଫୋନ୍,ଇଣ୍ଟରନେଟ୍ ଓ ବିଦ୍ୟୁତ୍ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ଵଞ୍ଚିତ ହେଉଛନ୍ତି। ୟୁଜିସି ପକ୍ଷରୁ ନିକଟରେ ଵ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ଯାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିଵେ ନାହିଁ,ଏହା ଅନଲାଇନରେ ଆପ୍ ମାଧ୍ଯମରେ କରାଯିଵ। ବିଶ୍ୱଗୁରୁ ପାଇଁ ସରକାର ସ୍ୱପ୍ନ ଦେଖାଉ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇନଟରନେଟ୍ ପାଠାଗାର ବା E- Library କରାଯାଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଭୁଲ ମହାମାରୀ ପରିଚାଳନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଅକାଳ ମୃତ୍ଯୁ, ଦେଶର ଅର୍ଥନୀତି ଭୁଷୁଡି ପଡିଵା ପରେ ଅର୍ଥନୀତି ସଜାଡିଵା ପାଇଁ ଶିଳ୍ପ ଓ କଳ କାରଖାନା ଖୋଲାଗଲା,ମାତ୍ର ଶିକ୍ଷାନୁଷ୍ଠାନ ଵନ୍ଦ। ଶିକ୍ଷାଦାନର ବିକଳ୍ପ ରାସ୍ତା ବାହାର କରିବା ପାଇଁ ରାଜ୍ୟ ହେଉ ବା କେନ୍ଦ୍ର,କାହାରି ଆନ୍ତରିକତା ନାହିଁ। ଶିକ୍ଷା ଵେପାରୀଙ୍କ ଲାଭ ପାଇଁ ଓ ଅଵହେଳିତ ଵର୍ଗଙ୍କୁ ଶିକ୍ଷାରୁ ଵଞ୍ଚିତ କରିଵା ପାଇଁ କରୋନା ମହାମାରୀ ଭିତରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କଲେ ଏଵେ ଵ୍ଲେଣ୍ଡେଡ୍ ଟିଚିଙ୍ଗ କଥା କହି ଶିକ୍ଷକ ହ୍ରାସର ଷଡ଼ଯନ୍ତ୍ର କରାଯାଉଛି। କରୋନାରେ କୋଟି କୋଟି ଛାତ୍ରାଭିଭାବକ ଜୀବିକା ହରାଇ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଫି’ ବୋଝ ବେଡି ଉପରେ କୋରଡା ମାଡ ଭଳି।ଏହାଛଡା କରୋନା ଟିକା ଦେଵାରେ ଅନ୍ୟ ପଟେ ଟୀକାର ଅଭାବ,ଅକ୍ସିଜେନ୍ ସିଲିଣ୍ଡର ଓ ମେଡିସିନରେ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଵିରୋଧରେ ଦେଶର ପ୍ରଥମ ସର୍ଵ ଭାରତୀୟ ଛାତ୍ର ସଂଗଠନ “ଅଖିଳ ଭାରତ ଛାତ୍ର ସଂଘ” (ଏଆଇଏସଏଫ) ପକ୍ଷରୁ କରୋନାକାଳରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍,ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର,ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି’ ଛାଡ୍ ସମେତ ସମସ୍ତ ଫି’ ଛାଡ଼୍,ୟୁଜିସିର ଵ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ଯାହାର, ସମସ୍ତଙ୍କୁ ସାର୍ଵଜନୀନ ଟିକାକରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବୀରେ ଓଡିଶା ରାଜ୍ଯଵ୍ଯାପୀ ଵିଦ୍ଯାଳୟ, ମହାଵିଦ୍ଯାଳୟ,ଵିଶ୍ଵ ଵିଦ୍ଯାଳୟ ଓ ଵୃତ୍ତିଗତ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଆଜି ଡିଜିଟାଲ ଆନ୍ଦୋଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ୍ ଆନ୍ଦୋଳନରେ ସାମିଲ୍ ହୋଇଥିଲେ।





