କରୋନାର ଦ୍ବିତୀୟ ଲହର ପାଇଁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି CBSE ଦଶମ ପରେ ଏବେ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ମୋଦୀ ଟ୍ବିଟ୍ କରି କହିଛନ୍ତି ଯେ, ” ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।  ଏନେଇ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ। ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାପ୍ତି କରିବା ଆବଶ୍ୟକ। ଏଭଳି ସ୍ଥିତିରେ ପିଲାଙ୍କୁ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବନାହିଁ।”

ସିବିଏସ୍ଇ ପରୀକ୍ଷା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର କରିବା ପାଇଁ   ପିଏମ୍ ମୋଦୀ ସମୀକ୍ଷା ବୈଠକ କରିଥିଲେ । ଆଜିର ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯ଼ୋଗ ଦେଇଥିଲେ । ସେହିପରି କ୍ୟାବିନେଟ ସଚିବ, ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ପୂର୍ବରୁ କୋଭିଡ୍ ପାଇଁ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇ ଥିଲା । ଯାହାକୁ ଆଜି ବାତିଲ କରାଯାଇଛି। ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ବାତିଲ ହୋଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଖୁସି ବ୍ୟକ୍ତ କରିଛନ୍ତି। 

Related Posts