ଅର୍ଥନୀତି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଅନ୍ଧକାର ମୟ , ଭୁଲ୍ ସ୍ବୀକାର କରନ୍ତୁ ସରକାର : ପି ଚିଦାମ୍ବରମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ 2020-21 ଆର୍ଥିକ ବର୍ଷରେ ଦେଶର ଜିଡିପି ମାଇନସ୍ 7.3 ପ୍ରତିଶତ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ 2021-22 ମସିହାରେ ଯଦି କେନ୍ଦ୍ର ସରକାର ଏଭଳି ସ୍ଥିତି ଏଡେଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରଥମେ ନିଜର ଭୁଲ୍ ସ୍ବୀକାର କରିବାକୁ ପଡ଼ିବ। ବିରୋଧୀ ଏବଂ ଅର୍ଥନୀତିଜ୍ଞଙ୍କ କଥା ଶୁଣିବାକୁ ପଡିବ। ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥନୀତି ଦୃଷ୍ଟିରୁ ୨୦୨୦-୨୧ ଆର୍ଥିକ ବର୍ଷକୁ ଗତ ଚାରି ଦଶନ୍ଧିର ‘ଅନ୍ଧକାର’ ବର୍ଷ ବୋଲି କହିଛନ୍ତି। ଏବଂ କରୋନା ମହାମାରୀ ସାଙ୍ଗକୁ କେନ୍ଦ୍ର ସରକାରଙ୍କ ଅପାରଗତା ଏବଂ ଭୁଲ୍ ଅର୍ଥନୀତି ପରିଚାଳନା ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଯାଇଛି ବୋଲି ସେ କହିଛନ୍ତି। ଚିଦାମ୍ବରମ୍ କହିଛନ୍ତି ଯେ, ଯାହା ଅନୁମାନ କରାଯାଉଥିଲା, ତାହା ସତ ପ୍ରମାଣିତ ହେଲା । ଗତ ଆର୍ଥିକ ବର୍ଷରେ ଅର୍ଥନୀତିରେ 7.3 ପ୍ରତିଶତ ହ୍ରାସ ଘଟିଛି। ଚିଦାମ୍ବରମ୍ କହିଛନ୍ତି ଯେ 2018-19 ରେ ଜିଡିପି 140,03,316 କୋଟି, 2019-20 ରେ ଏହା 145,69,268 କୋଟି ରହିଥିବା ବେଳେ 2020-21 ରେ ଏହା 135,12,740 କୋଟି ଟଙ୍କାକୁ ଖସି ଆସିଛି। ଚିଦାମ୍ବରମ୍ କହିଛନ୍ତି ଯେ,” ଗତ ବର୍ଷ ଯେତେବେଳେ କରୋନା ମହାମାରୀର ପ୍ରଥମ ଲହର ନିୟନ୍ତ୍ରଣକୁ ଆସିଥିଲା ସେତେବେଳେ ଅର୍ଥମନ୍ତ୍ରୀ ତଥା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅର୍ଥନୀତିରେ ସୁଧାର କଥା କହିବା ଆରମ୍ଭ କରିଦେଇଥିଲେ କିନ୍ତୁ ଆମେ କହିଥିଲୁ ଯେ ଅର୍ଥନୀତିର ବୃଦ୍ଧି କରିବା ପାଇଁ ଏକ ପ୍ୟାକେଜ୍ ର ଆବଶ୍ୟକତା ରହିଛି । ” ସେ କହିଛନ୍ତି ଯେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମୁଣ୍ଡପିଛା ଜିଡିପି ଏକ ଲକ୍ଷ ଟଙ୍କାରୁ କମ୍ ହୋଇଛି। ଚିଦାମ୍ବରମ୍ କହିଛନ୍ତି ଯେ ନିଶ୍ଚିତ ଭାବରେ କରୋନା ମହାମାରୀ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇଛି। କିନ୍ତୁ ଅପାରଗ ସରକାର ତଥା ଭୁଲ୍ ଅର୍ଥନୈତିକ ପରିଚାଳନା ଦେଶର ଅର୍ଥନୀତିକୁ ଆହୁରି ଖରାପ କରିଦେଇଛି। ସେ କହିଛନ୍ତି, କରୋନାର ଦ୍ୱିତୀୟ ତରଙ୍ଗ ଚାଲିଛି। ପ୍ରଥମ ତରଙ୍ଗ ଅପେକ୍ଷା ଦ୍ବିତୀୟ ତରଙ୍ଗରେ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଅଧିକ କ୍ଷତି ହୋଇଛି । ଯଦି 2021-22 ଆର୍ଥିକ ବର୍ଷରେ ସରକାର ସୁଧାର ଆଣିବା ପାଇଁ ଚାହୁଁଛନ୍ତି ତେବେ ସରକାରଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ଏବଂ ଭୁଲ୍ ସ୍ବୀକାର କରିବାକୁ ହେବ। ଏହା ବ୍ୟତୀତ ନୀତିରେ ପରିବର୍ତ୍ତନ ଏବଂ ବିରୋଧୀ ତଥା ଅର୍ଥନୀତିଜ୍ଞଙ୍କ ପରାମର୍ଶ ଗ୍ରହଣ କରିବାକୁ ହେବ। କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି ସରକାର ଅନୁଭବ କରୁଛନ୍ତି ଯେ ନୋଟ୍ ଛପା ହେବା ଉଚିତ, ତେବେ ସେ ଏହା କରିପାରିବେ କାରଣ ଭାରତର ଏହା କରିବାର ଅଧିକାର ରହିଛି।

Related Posts