ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ପ୍ରଚାର କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସର ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା କହିଛନ୍ତି ଯେ, ମୁଁ ଚାହୁଁଛି ରାହୁଲ ଗାନ୍ଧି ଏବେ ଭାରତ ଯୋଡା ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। ସେଠାରେ ଯାଇ ଦଳ ପାଇଁ ପ୍ରଚାର କରିବା ଉଚିତ୍। ରାହୁଲ ସେଠାରେ ଦଳ ପାଇଁ ପ୍ରଚାର କଲେ ଦଳକୁ ଲାଭ ହେବ। କାରଣ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ଦୁଇ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିପାରିବ।

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିଭଳି ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ କଂଗ୍ରେସର ଭାରତ ଯୋଡା ଯାତ୍ରା ୧୫୦ ଦିନରେ ୩୫୭୦ କିଲୋମିଟର ଯାତ୍ରା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର୭ରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରରେ ଶେଷ ହେବ। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କର୍ଣ୍ଣାଟକରେ ଏହି ଯାତ୍ରା ଚାଲିଛି।