
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୁରନ୍ତ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ୍ ହେଉ ଓ ଦୁଇ ପକ୍ଷ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଭାରତ ଜାତିସଂଘର ନିରାପତ୍ତା ପରିଷଦରେ ଆହ୍ବାନ ଦେଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏନେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କହିସାରିଛନ୍ତି କି ଏ ଯୁଗ ଯୁଦ୍ଧର ଯୁଗ ନୁହେଁ । ଋଷ-ୟୁକ୍ରେନ ଯୁଦ୍ଧ ସମଗ୍ର ଅନ୍ତର୍ଜାତୀୟ ସଂପ୍ରଦାୟ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି, ଏହି ଯୁଦ୍ଧର ଫଳାଫଳ ଦିନକୁ ଦିନ ବେଶ ସାଂଘାତିକ ହେବାରେ ଲାଗିଛି । ଆଜିର ଜଗତିକରଣ ଯୁଗରେ ଏହାର ପ୍ରଭାବ ଦୂରରେ ଥିବା ଦେଶମାନଙ୍କରେ ମଧ୍ୟ ପଡ଼ୁଛି । ଏହି ଅବସରରେ ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ସପକ୍ଷରେ ମଧ୍ୟ ଯୁକ୍ତି ବାଢିଥିଲେ ।
ଏହି ବୈଠକରେ ଚୀନକୁ ଟାର୍ଗେଟକରି ଜୟଶଙ୍କର କହିଥିଲେ ଯେ, ରାଜନୀତି କୌଣସି ଆତଙ୍କବାଦୀ ଉପରେ କଟକଣା ଲଗାଇବା ଆଗରେ ପ୍ରତିବନ୍ଧକ ନହେବା ଆବଶ୍ୟକ । ଯଦି ଦିନ ଦ୍ବିହିପହରରେ ଏକ ଆତଙ୍କବାଦୀ କାଣ୍ଡ ଘଟୁଛି ଓ ଆମେ ତାହାକୁ ଦଣ୍ଡିତ କରୁନାହୁଁ, ତେବେ ବିଶ୍ବକୁ କେଉଁ ସଂକେତ ଯାଉଛି ସେ ସମ୍ପର୍କରେ ନିରାପତ୍ତା ପରିଷଦ ଚିନ୍ତା କରୁ ବୋଲି ଜୟଶଙ୍କର କହିଛନ୍ତି।