
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାର୍ବଣ ସମୟ କମିଶନରେଟ ପୋଲିସର ଫୋକସରେ ରହିବ ପବ୍ଲିକ୍ ବସ୍ । ଦାଦାବଟି ଆଦାୟକୁ ନେଇ ବରମୁଣ୍ଡାରେ ଆଜି ପୋଲିସର କର୍ମଶାଳା ଅନୁଷ୍ଠିତ ହୋଇଛି । ବସ୍ ମାଲିକ ସଂଘ ସହ ଏସିପି ଓ ଆଇଆଇସି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଏସିପି । ବସ୍କୁ ଅଟକାଇ ବଟି ମାଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍ କହିଛି । ବଟି ମାଗିବାର ଅଭିଯୋଗ ଆସିଲେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଏସିପି ।
ସେପଟେ ଭୁବନେଶ୍ୱର ବସ ମାଲିକ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଦୂରରୁ ଆସୁଥିବା ବସ ମାଲିକଙ୍କ ଠାରୁ ବଟି ଆଦାୟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ବଟି ନଦେଲେ ଡ୍ରାଇଭର-କଣ୍ଡକ୍ଟରଙ୍କୁ ମାଡ଼ ମରାଯାଉଛି । ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ମଗାଯାଉଥିବା ସେ କହିଛନ୍ତି । ତେବେ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।