ଭାଜପା ଆଗରେ ନଇଁ ଯାଇଥିଲେ ଏତେଦିନ ଜେଲରେ ରହିନଥାନ୍ତି: ଲାଲୁ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର ଭାଜପାକୁ ଜୋରଦାର ଟାର୍ଗେଟ କରିଛନ୍ତି। ଆରଜେଡିର ରାଜ୍ୟ ପରିଷଦ ବୈଠକରେ ଯୋଗଦେଇ ସେ କହିଛନ୍ତି ଯେ, ଅନେକ ଦଳ ନିଜ ଆଦର୍ଶରୁ ଓହରି ଭାଜପା ସହ ବୁଝାମଣା କରିଛନ୍ତି। କିନ୍ତୁ ମୁଁ କେବେ ନଇଁ ନାହିଁ, କି ନଇଁବି ନାହିଁ। ମୁଁ ମୋର ଆଦର୍ଶ ଉପରେ ଦୃଢ ଭାବରେ ଠିଆ ହୋଇଛି। ଭାଜପା ଆମର ସବୁଠୁ ବଡ ଶତ୍ରୁ, ଯଦି ମୁଁ ନଇଁଥାନ୍ତି, ତେବେ ମୁଁ ଏତେ ଦିନ ଜେଲରେ ରହି ନଥାନ୍ତି। ଲାଲୁ ଆହୁରି ମଧ୍ୟ କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ନୀତୀଶ କୁମାରଙ୍କ ସହ ଶୀଘ୍ର ଦିଲ୍ଲୀ ଯିବି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ମୁଁ ରାହୁଲଙ୍କୁ ମଧ୍ୟ ଭେଟିବି। ଆମେ ସମସ୍ତେ ମିଶି ୨୦୨୪ରେ ଭାଜପା ସରକାରକୁ ହଟାଇବୁ।

ଏହି ଅବସରରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଯେ, ୨୦୨୪ରେ ୪୦ ଲୋକସଭା ଆସନ ବିଶିଷ୍ଟ ବିହାରରେ ମହା ଗଠବନ୍ଧନକୁ ଜିତିଇବା ଆମର ଲକ୍ଷ୍ୟ। ଏଥିପାଇଁ ଆମକୁ ଲୋକଙ୍କ ସହ ଯୋଡି ହେବାକୁ ପଡିବ।

ସୂଚନାଯୋଗ୍ୟ ଯେ, ବିାହରରେ ନୀତୀଶ କୁମାର ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଢିଛନ୍ତି। ଏହା ପରଠାରୁ ନୀତୀଶ ସାରା ଦେଶରେ ଭାଜପା ବିରୋଧୀଙ୍କୁ ଏକଜୁଟ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ଦେଶର ଅନେକ ନେତାଙ୍କୁ ଭେଟି ଦେଶରୁ ଭାଜପା ହଟାଇବା ପାଇଁ ଏକତ୍ର ହେବାକୁ ଆହ୍ବାନ ଦେଇଛନ୍ତି।

Related Posts