ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ର ନିର୍ବାଚନ ନେଇ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରାଯିବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଭାପତି ଲାଗି ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ବେହେରା ଓ ଉପସଭାପତି ପଦ ଲାଗି ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନପତ୍ର ଦାଖଲ କରିବେ ।ତେବେ ବଳକା ଆଉ ତିନି ପଦ ଲାଗି କିଏ ନାମାଙ୍କନ କରିବେ ତାହା ଗୁରୁବାର ରାତି ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ସଞ୍ଜୟ ବେହେରାଙ୍କ ପ୍ୟାନେଲ୍‌ର ସମସ୍ତ ସଦସ୍ୟ ଏକାଠି ହୋଇଛନ୍ତି । ପ୍ରାୟ ୭୩ ଭୋଟରଙ୍କ ମଧ୍ୟରୁ ସଞ୍ଜୟଙ୍କ ପ୍ୟାନେଲ୍‌ ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଗୋଷ୍ଠୀରୁ ନବରଞ୍ଜନ ପଟ୍ଟନାୟକ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଯୋଜନାରେ ରହିଛନ୍ତି । ନାମାଙ୍କନ ପତ୍ର ଦାଖଲ ସକାଳ ୧୦ଟା ୩୦ରୁ ଅପରାହ୍ଣ ୫ଟା ଯାଏ ଓସିଏ ସମ୍ମିଳନୀ କକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ୨୨ ତାରିଖରେ ତାଲିକା ପ୍ରସ୍ତୁତ କରାଯାଇ ଆପତ୍ତି,ଅଭିଯୋଗ ଶୁଣାଣି ହେବ । ୨୩ ତାରିଖରେ ଓସିଏ ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । ଏହାର ୫ ଦିନ ପରେ ଅର୍ଥାତ୍ ୨୮ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।