ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ଆଜି ପ୍ରଣବଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହେବାପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେହିପରି ସଞ୍ଜୟ ବେହେରା ଦ୍ବିତୀୟ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ ୬ଟି ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଓସିଏ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି ସମର୍ଥକ ।
ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୬ଟି ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ସମସ୍ତ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଥମ ଥର ପାଇଁ ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସମ୍ପାଦକ ଭାବେ ଦ୍ବିତୀୟ ଥର ପାଇଁ ନିଜର ଗାଦି ଅଧିକୃତ କରିଛନ୍ତି ସଞ୍ଜୟ ବେହେରା । ସେହିଭଳି ବିକାଶ ପ୍ରଧାନ ପୁଣି ଥରେ କୋଷାଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଛନ୍ତି ।
ଏହି ଅବସରରେ ନବନିର୍ବାଚିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, “କ୍ରିକେଟ ହେଉଛି ସବୁଠାରୁ ଲୋକପ୍ରିୟ ଖେଳ । ଓଡ଼ିଶା କ୍ରିକେଟ ବୋର୍ଡର ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାରବାଟୀର ବିକାଶ କରାଯିବ । ତୃଣମୂଳସ୍ତରରୁ କ୍ରିକେଟ ପ୍ରତିଭାଙ୍କୁ ସୁଯୋଗ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଜରିଆରେ ବିଶ୍ବସ୍ତରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିଭଳି କ୍ରିକେଟର ଲୋକପ୍ରିୟତା ଅନୁସାରେ ଏହାର ବିକାଶ କରାଯିବ ।”
ସେହିଭଳି ରାଜ୍ୟରେ କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ଆଗକୁ ନେବାକୁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।





