ପୋଲିସ ସାମ୍ନାରେ ଆତ୍ମହୂତି ଉଦ୍ୟମ: ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଲେ ବ୍ୟକ୍ତି

ଜୟପୁର: ରାଜସ୍ଥାନ ଅଲୱର ଜିଲ୍ଲାରେ ଅଭାବନୀୟ ଘଟଣା । ପୋଲିସ ସାମ୍ନାରେ ଆତ୍ମହୂତି ଉଦ୍ୟମ କଲେ ଜଣେ ବ୍ୟକ୍ତି । ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଲେ ବ୍ୟକ୍ତି । ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଯାହାସୂଚନା ରହିଛି, ପୋଲିସ ଅଲୱର ମାଲାଖେଡା ଅନ୍ତର୍ଗତ ଚାନ୍ଦପହାଡି ଗାଁରେ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଏହାକୁ ବିରୋଧ କରି କରନ ସିଂହ ଗୁରଜର ନାମକ ବ୍ୟକ୍ତି ଏପରି ଆତ୍ମହୂତି ଉଦ୍ୟମ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ପଞ୍ଚାୟତ ଚାନ୍ଦପହାଡି ଗାଁର କହ୍ନେଇୟାଲାଲଙ୍କୁ ୧୫ ବିଘା ସରକାରୀ ଜମି ବଣ୍ଟନ କରିଥିଲା । ହେଲେ ସେହି ଗାଁର କରନ ସିଂହଙ୍କ ବାପା ମଣ୍ଟୁରାମ ଜମି ଉପରେ କବ୍‌ଜା କରିଥିଲେ । ଅନେକ ଥର କହ୍ନେଇୟାଲାଲ ଜମି ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମଣ୍ଟୁରାମ ଏହାକୁ ଦେଇନଥିଲେ । ଫଳରେ ଏହି ଜମି ବିବାଦ କୋର୍ଟରେ ପହଞ୍ଚିଥିଲା । ମାମଲାର ଶୁଣାଣି କରି କୋର୍ଟ କହ୍ନେଇୟାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ପୋଲିସକୁ ଜବରଦଖଲ ଉଚ୍ଛେଦ ପାଇଁ କହିଥିଲେ । ତେଣୁ ସୋମବାର ସ୍ଥାନୀୟ ପୋଲିସ ଏବଂ ଏସଡିଏମ ଜବରଦଖଲ ହଟାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ।ହେଲେ ଏହାକୁ ବିରୋଧ କରି ମଣ୍ଟୁରାମଙ୍କ ପୁଅ କରନ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ତାଙ୍କ ଶରୀରର ୬୦ ଭାଗ ପୋଡି ଯାଇଛି । ପ୍ରଥମେ ତାଙ୍କୁ ଅଲୱରର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଜୟପୁର ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

Related Posts