ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳିଙ୍କ ଆତ୍ମହତ୍ୟା। ଏପରି ଦୁଃଖଦ ଖବର କେନ୍ଦୁଝର ଜିଲ୍ଲାରୁ ଆସିଛି। ଉଖୁଣ୍ଡା କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ବାରିଆ ଥାନା ନୟା ଧର୍ନ୍ତଜୟପୁର ଗାଁ ମନିକା ନାଏକ (୧୭) ହେଉଛନ୍ତି ଜାତୀୟ ସ୍ତରର ଖୋଖୋ ଖେଳାଳି। ସେ ଗୁରୁବାର ନିଜ ଘରେ ଆତ୍ମହତ୍ୟା କରିଛନ୍ତି।

ତେବେ ଜାତୀୟ ଜୁନିୟର ମହିଳା ଖୋଖୋ ଦଳରେ ଓଡ଼ିଶା ପକ୍ଷରୁ ସାମିଲ ହୋଇ ବିଭିନ୍ନ ରାଜ୍ୟରେ ସେ ତାଙ୍କର ନିଜର ଖେଳ ପ୍ରତିଭା ଦେଖାଇଛନ୍ତି। ସେଥିପାଇଁ ମନିକା ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାର ଜିତିଛନ୍ତି। ନିକଟରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଖୋଖୋ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବନ୍‌ ଖେଳାଳି ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୌଣସି କାରଣରୁ ସେ ନିଜ ଶୋଇବା ଘରେ ବେକରେ ରସି ଲଗାଇ ଝୁଲି ପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ।ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିଆ ଥାନାଧିକାରିଣୀ ବନ୍ଦନା ପାତ୍ର ନଂ. ୬/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ତେବେ ଆଜି ପୋଲିସ ପଞ୍ଚନାମା ପରେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।