ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆସିଥିବା ମୋସନ ଉପରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ। ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ପ୍ରସଙ୍ଗରେ ଆଗତ ମୋସନ ଉପରେ ସରଗରମ ଆଲୋଚନା ହୋଇଛି। ତେବେ ଆଲୋଚନା ଶେଷରେ ବିରୋଧୀଙ୍କ ପ୍ରଶ୍ନର ଗୃହରେ ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ତୁଷାରକାନ୍ତି ବେହେରା ବିବୃତି ରଖି କହିଥିଲେ ଯେ, ହତ୍ୟାକାଣ୍ଡର ସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେଣୁ ଏଭଳି ଏକ ଦୁଃଖଦ ମୃତ୍ୟୁ ଘଟଣାକୁ ରାଜନୀତିକରଣ ନ କରିବା ପାଇଁ ସେ ବିରୋଧୀଙ୍କୁ ଅନୁରୋଧ କରିଥିଲେ।
ତୁଷାରକାନ୍ତି ଗୃହରେ କହିଥିଲେ ଯେ, ମନ୍ତ୍ରୀ ନବ ଦାସଙ୍କୁ ୨୦୨୩ ଜାନୁୟାରୀ ୨୯ତାରିଖରେ ପୁଲିସ ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଗୁଳି କରିଥିଲା । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସରକାର ଏହି ଘଟଣାର ଗୁରୁତ୍ୱକୁ ଉପଲବଧି କରି ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତୁରନ୍ତ ମକଦ୍ଦମାର ତଦନ୍ତଭାର ଦେଇଥିଲେ । ତଦନ୍ତରେ ସ୍ୱଚ୍ଛତା ପାଇଁ ଓ ମାମଲାର ତଦାରଖ ପାଇଁ ରାଜ୍ୟ ସରକାର ଜାନୁୟାରୀ ୩୦ରେ ହାଇକୋର୍ଟଙ୍କୁ ଚିଠି ସଂଖ୍ୟା ୩/ଆର୍ଜିରେ ଅନୁରୋଧ କରିଥିଲେ । ଫେବୃୟାରୀ ୧ରେ ହାଇକୋର୍ଟ ତାଙ୍କ ଚିଠି ସଂଖ୍ୟା ୩/ଆର୍ଜି ମାଧ୍ୟମରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ମନୋନୀତ କରିଥିବା ନେଇ ସରକାରଙ୍କୁ ଅବଗତ କରାଇଥିଲେ ।
ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟାନ୍ୟ ସାକ୍ଷୀ, ନବ ଦାସଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ସହକର୍ମୀଙ୍କୁ ପଚରାଉଚୁରା କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ପ୍ରମାଣ ସଂଗ୍ରହ ଓ ଅପରାଧିକ ଦୃଶ୍ୟକୁ ସଂରକ୍ଷଣ ନିମନ୍ତେ ବିଭିନ୍ନ ବୃତ୍ତିଗତ ଅଧିକାରୀଙ୍କ ସହାୟତା ନିଆଯାଇଛି । ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଛି । ସିଆରପିସିର ୧୬୪ରେ ଅଭିଯୁକ୍ତ ଗୋପାଳ ଦାସର ବିବୃତି ରେକର୍ଡ କରାଯାଇଛି । ସେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ମାମଲାର ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ତଦନ୍ତରେ ଏଫବିଆଇର ସହାୟତା ନେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଗୃହ ବିଭାଗ ଅନୁରୋଧ କରିଛି । ମାମଲାଟିର ତଦନ୍ତ ଚାଲୁ ରହିଛି । ରାଜ୍ୟ କ୍ରାଇମବ୍ରାଂଚ ମାମଲାଟିର ବିଭିନ୍ନ ସମ୍ଭାବ୍ୟ ଦିଗକୁ ନେଇ ପରୀକ୍ଷା କରୁଛି । ଅପରାଧର ମୂଳରେ ପହଂଚିବା ଓ ମାମଲାଟିରେ ଦୋଷୀ ସାବ୍ୟସ୍ତ କରାଇବା ଭଳି ୨ଟି ଦିଗକୁ ନେଇ ବୃତ୍ତିଗତ ଓ ସ୍ୱଚ୍ଛ ପ୍ରଣାଳୀରେ ମାମଲାଟିର ତଦନ୍ତ କରାଯାଉଛି । ତେଣୁ କଳ୍ପନା ଉପରେ ଆଧାର କରି ଅଯଥା ଭିତ୍ତିହୀନ ଅଭିଯୋଗ କରିବାଠୁ ଦୂରେଇ ରହିବାକୁ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ରାଜ୍ୟ କ୍ରାଇମବ୍ରାଂଚ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛନ୍ତି । ଜଣେ ପ୍ରିୟ ସହକର୍ମୀଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ରାଜନୀତିକରଣ କରାନଯିବା ପାଇଁ ସେ ଅନୁରୋଧ କରିଥିଲେ ।
